ଭୁବନେଶ୍ବର: ‘ଆମ ବସ୍’ ସେବାରେ ସାଧାରଣ ଯାତ୍ରୀଙ୍କ ଯାତ୍ରା ଅଭିଜ୍ଞତା ବୃଦ୍ଧି ନେଇ କ୍ରୁଟ୍ ପକ୍ଷରୁ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। କ୍ରୁଟ୍ ପରିଚାଳନା ନିର୍ଦେଶକ ଡ.ଏନ୍ ଥିରୁମାଲା ନାଏକ କ୍ରୁଟ୍ର ସମସ୍ତ ସଦସ୍ୟଙ୍କୁ ସପ୍ତାହରେ ଅନ୍ତତଃ ଦୁଇଥର ଆମବସ୍ ଯାତ୍ରା କରିବାକୁ ନିର୍ଦେଶ ଦେଇଛନ୍ତି। ବସ୍ ଯାତ୍ରା କରି ବିସୃତ ଅନ୍ଲାଇନ୍ ଫର୍ମ ମାଧ୍ୟମରେ ଆମ ବସ୍ ରେ ପ୍ରତ୍ୟେକ ସେବାର ସ୍ୱରୂପ ଉପରେ ମତାମତ ସଂଗ୍ରହ ହେବ । ଡ୍ରାଇଭରଙ୍କ ପାଖ ସିଟରେ ବସିବେ ଅଧିକାରୀ । ଯାତ୍ରୀଙ୍କ ମତାମତ ନେବେ । ମତାମତକୁ ଆଧାର କରି ସେବାର ଉନ୍ନତୀକରଣ ପାଇଁ ପ୍ରଚେଷ୍ଟା ହେବ ବୋଲି କ୍ରୁଟ୍ ପକ୍ଷରୁ କୁହାଯାଇଛି।
ବୁଧବାର କ୍ରୁଟ୍ର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସମେତ ପରିଚାଳନା ନିର୍ଦେଶକ ଡକ୍ଟର ଏନ୍ ଥିରୁମାଲା ନାଏକ ନିଜେ ବିଭିନ୍ନ ରୁଟ୍ ବସ୍ ରେ କ୍ରୁଟ୍ କାର୍ଯ୍ୟାଳୟରୁ ବାହାରି ୧୦ ନମ୍ବର ମାଧ୍ୟମରେ କିଟ୍ ଛକରୁ ଇନ୍ଫୋସିଟି ଏବଂ ୧୩ ନମ୍ବର ରୁଟ୍ ରେ ଟ୍ରାଇଡ଼େଣ୍ଟ ମହାବିଦ୍ୟାଳୟରୁ କେଶରୀ ଟକିଜ୍ ଯାଏଁ ଯାତ୍ରା କରି ପ୍ରକୃତ ଅବସ୍ଥା ପରଖିଥିଲେ। ସେମାନେ ନିଜେ ଟିକେଟ୍ କାଟି ଆମବସ୍ ରେ ସାଧାରଣ ଯାତ୍ରୀଙ୍କ ଭଳି ଯାତ୍ରା ଅନୁଭୂତି ନେଇଛନ୍ତି। ଯାତ୍ରୀଙ୍କ ସହ ଯୋଗାଯୋଗ କରି ସେମାନଙ୍କ ଯାତ୍ରା ଅଭିଜ୍ଞତା ବିଷୟରେ ସିଧାସଳଖ ମତାମତ ସଂଗ୍ରହ କରିଥିଲେ। ସେହିଭଳି ଅଚାନକ ଯାଞ୍ଚରେ କ୍ରୁଟ୍ ମହା ପ୍ରବନ୍ଧକ ସଞ୍ଜୟ ବିଶ୍ୱାଳ କଟକ ସିଡ଼ିଏ ୯ରୁ ଭୁବନେଶ୍ୱର କଳାରାହାଙ୍ଗ ପର୍ଯ୍ୟନ୍ତ ବସ୍ ରେ ଯାତ୍ରା କରି ସେବାର ଅବସ୍ଥା ମୂଲ୍ୟାଙ୍କନ କରିଥିଲେ। ଆମ ବସ୍ ସେବାରେ ରୁଟ୍ ସମ୍ପର୍କିତ ମତାମତ, ଗୋଟିଏ ବସ୍ ପରେ ଅନ୍ୟ ବସର ସମୟ, ଆମବସ୍ ଆପ୍ଲିକେସନ୍, ପ୍ରଯୁକ୍ତିବିଦ୍ୟା ଓ ଜ୍ଞାନ କୈାଶଳର ବୃଦ୍ଧି ଭଳି ସାମଗ୍ରକି ସେବାର ଉନ୍ନତି ଦିଗରେ ମତାମତ ସଂଗ୍ରହ ହେବ। ସେହିପରି ଯାତ୍ରୀ ଅନୁଭୂତି ପାଇଁ ଆମବସ୍ ମୋବାଇଲ୍ ଆପ୍ଲିକେସନ୍ ର ମଧ୍ୟ ଏକ ମତାମତ ଫର୍ମ ଯୋଡ଼ାହେବ । ଯେଉଁଥିରେ ନିୟମିତ ଭାବେ ବିଭିନ୍ନ ମତାମତକୁ ନେଇ ଆମ ବସ୍ ସେବାକୁ ଉନ୍ନତ କରିବାରେ ସହାୟକ ହେବ।