ନୂଆଦିଲ୍ଲୀ: ଆଉ ନାହାଁନ୍ତି ସୁପ୍ରିମକୋର୍ଟର ବରିଷ୍ଠ ଅଧିବକ୍ତା ତଥା ମିଜୋରାମର ପୂର୍ବତନ ରାଜ୍ୟପାଳ ସ୍ୱରାଜ କୌଶଲ । ୭୩ ବର୍ଷରେ ସେ ଦୁନିଆରୁ ବିଦାୟ ନେଇଛନ୍ତି । ନୂଆଦିଲ୍ଲୀସ୍ଥିତ ତାଲ କଟୋରା ରୋଡରେ ଥିବା ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସ୍ୱରାଜ କୌଶଲ ହେଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ସୁଷମା ସ୍ୱରାଜଙ୍କ ସ୍ୱାମୀ । ତାଙ୍କ ଝିଅ ବାଂଶୁରୀ ସ୍ୱରାଜ ଏବେ ସାଂସଦ ଅଛନ୍ତି ।
୧୯୫୨ ମସିହା ଜୁଲାଇ ୧୨ ତାରିଖରେ ପୂର୍ବ ପଞ୍ଜାବ (ଏବେକାର ହିମାଚଳ ପ୍ରଦେଶ)ରେ ସ୍ୱରାଜ କୌଶଲ ଜନ୍ମ ଗ୍ରହଣ କରିଥିଲେ । ଚଣ୍ଡିଗଡ଼ ଡିଏଭି ସ୍କୁଲରୁ କଳାରେ ସ୍ନାତକ ହାସଲ କରିବା ପରେ ପଞ୍ଜାବ ବିଶ୍ୱବିଦ୍ୟାଳୟରେ ଆଇନରେ ଶିକ୍ଷା ଗ୍ରହଣ କରିଥିଲେ । ୧୯୮୬ ମସିହାରେ ସ୍ୱରାଜ ମାତ୍ର ୩୪ ବର୍ଷ ବୟସରେ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଭାବରେ ଘୋଷିତ ହୋଇଥିଲେ । ୮ ଫେବୃୟାରୀ ୧୯୯୦ ରୁ ୯ ଫେବୃଆରୀ ୧୯୯୩ ପର୍ୟ୍ୟନ୍ତ ମିଜୋରାମର ରାଜ୍ୟପାଳ ଭାବରେ କାର୍ୟ୍ୟ କରିଥିଲେ, ଦେଶର ସବୁଠାରୁ କନିଷ୍ଠ ରାଜ୍ୟପାଳ ହୋଇଥିଲେ ଏବଂ ଉତ୍ତର-ପୂର୍ବ ଅଞ୍ଚଳର ବିଦ୍ରୋହ ସମସ୍ୟା ଉପରେ ବିଶେଷଜ୍ଞତା ହାସଲ କରିଥିଲେ। ହରିୟାଣା ବିକାଶ ପାର୍ଟି ତରଫରୁ ସେ ରାଜ୍ୟସଭାକୁ ଆସିଥିଲେ । ୧୯୯୮-୯୯ ଏବଂ ୨୦୦୦-୨୦୦୪ରେ ସେ ହରିୟାଣାକୁ ରାଜ୍ୟସଭାରେ ପ୍ରତିନିଧିତ୍ୱ କରିଥିଲେ ।
୧୯୭୫ ଜୁଲାଇ ୧୩ ତାରିଖରେ ସେ ସୁଷମା ସ୍ୱରାଜଙ୍କୁ ବିବାହ କରିଥିଲେ । ୨୦୧୯ରେ ସୁଷମାଙ୍କ ଦେହାନ୍ତ ହୋଇଥିଲା ।
ସ୍ୱରାଜ କୌଶଲଙ୍କ ମୃତ୍ୟୁ ପରେ ଝିଅ ବାଂଶୁରୀ ସ୍ୱରାଜ ଏବେ ସମ୍ପୂର୍ଣ୍ଣ ଏକୁଟିଆ ହୋଇଯାଇଛନ୍ତି । ସେପଟେ ସ୍ୱରାଜଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ମାତ୍ରେ ରାଜନୈତିକ ଏବଂ ଆଇନଗତ ମହଲରେ ଶୋକର ଛାୟା ଖେଳିଯାଇଛି । ବହୁ ସଂଖ୍ୟକ ଲୋକ ତାଲକଟୋରା ରୋଡରେ ଥିବା ତାଙ୍କ ବାସଭବନରେ ପହଞ୍ଚି ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଲୋକସଭା ବାଚସ୍ପତି ଓମ୍ ବିର୍ଲା, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ମନ୍ତ୍ରୀ କିରନ୍ ରିଜିଜୁଙ୍କ ସମେତ ଅନେକ ପ୍ରମୁଖ ନେତା ତାଙ୍କ ପାର୍ଥିବ ଶରୀରକୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଶୋକ ପ୍ରକାଶ କରିଛନ୍ତି । ସ୍ୱରାଜ କୌଶଳ ଜୀଙ୍କ ସାର୍ବଜନୀନ ଜୀବନ ଏବଂ ଆଇନ କ୍ଷେତ୍ରରେ ଅବଦାନ ସର୍ବଦା ମନେ ରହିବ । ଦେଶ ଏବଂ ସମାଜ ପ୍ରତି ତାଙ୍କର ସେବା ଅବିସ୍ମରଣୀୟ ବୋଲି ସେ କହିଛନ୍ତି । ଏହା ସହିତ ଶୋକ ସନ୍ତପ୍ତ ସାଂସଦ ବାଂଶୁରୀ ସ୍ୱରାଜଙ୍କୁ ମଧ୍ୟ ଗଭୀର ସମବେଦନା ଜଣାଇଛନ୍ତି ।