ଦେବଗଡ଼: ଦେବଗଡ଼ ଜିଲ୍ଲା ରିଆମାଳରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛ । ହାତୀ ଆକ୍ରମଣରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣ ହେଲେ ଜୁରାଡଙ୍ଗା ଗ୍ରାମର କୁଞ୍ଜ ଦେହୁରୀ(୭୦) ଏବଂ ଗୁରୁତର ହେଲେ ଦିଲ୍ଲୀପ ବେହେରାଙ୍କ ସ୍ତ୍ରୀ ରଞ୍ଜିତା ବେହେରା(୩୫) ।
ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଜୁରାଡଙ୍ଗା ଗ୍ରାମରେ ପୃଥକ ପୃଥକ ଦୁଇଟି ସ୍ଥାନରେ ଦନ୍ତା ହାତୀ ଆକ୍ରମଣ କରିଛି । ଆଜି ଭୋର ସକାଳ ୬ଟା ୩୦ ମିନିଟ୍ ସମୟରେ ରଞ୍ଜିତା ବେହେରା ଘରଠାରୁ ମାତ୍ର କେଇ ମିଟର୍ ଦୂରକୁ ପଡ଼ିଆକୁ ଶୌଚ ହେବାକୁ ଯାଇଥିଲେ । ଏହି ସମୟରେ ସେ ଦନ୍ତା ହାବୁଡ଼ରେ ପଡ଼ିଯାଇଥିଲେ । ଦନ୍ତା ରଞ୍ଜିତାଙ୍କୁ ଆକ୍ରମଣ କରିବା ସମୟରେ ତାଙ୍କ ଚିତ୍କାର ଶୁଣି ନିକଟରେ ଥିବା ଲୋକମାନେ ତାଙ୍କୁ ଉଦ୍ଧାର କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ସେହି ଦନ୍ତା ହାତୀଟି କିଛି ଦୂର ଗଲା ପରେ କୁଞ୍ଜ ଦେହୁରୀଙ୍କୁ ଆକ୍ରମଣ କରିଥିଲା । କୁଞ୍ଜ ଶୌଚ ହେବାକୁ ପଡ଼ିଆକୁ ଯାଇଥିବାବେଳେ ଦନ୍ତା କବଳରେ ପଡ଼ିଯାଇଥିଲେ । ଦନ୍ତା ବୃଦ୍ଧ ଜଣଙ୍କୁ କଚାଡ଼ି ମାରି ଦେଇଛି ।