ଭୁବନେଶ୍ୱର: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗ। ମହାନଦୀ ବିବାଦରେ ଆସନ୍ତାକାଲି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଏନେଇ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ବିଧାନସଭାରେ ସୂଚନା ଦେଇଛନ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗ। ନଭେମ୍ବର ୧୦ ତାରିଖରେ ମୁଖ୍ୟ ଶାସନ ସଚିବ ସ୍ତରୀୟ ବୈଠକ ବସିଥିଲା। ଉଭୟ ରାଜ୍ୟର ବୈଷୟିକ ଟିମଙ୍କ ମଧ୍ୟରେ ଛଅ ଥର ଆଲୋଚନା ହୋଇଛି।
ଆସନ୍ତାକାଲି ମଧ୍ୟ ଏନେଇ ଜଏଣ୍ଟ ଟେକ୍ନିକାଲ ଟିମଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଆସନ୍ତା ୨୦ ତାରିଖରେ ଟ୍ରିବ୍ୟୁନାଲ ଶୁଣାଣି ମଧ୍ୟ ହେବ। ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଗୃହରେ ଉତ୍ତର ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ।
ଅନ୍ୟପଟେ ଆଜି ଏ ସମ୍ପର୍କିତ ପ୍ରଶ୍ନ ମଧ୍ୟ ଗୃହରେ ଉଠିଛି। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ଯେ, ଗତ ୧୬ ମାସ ଭିତରେ ମହାନଦୀ ଜଳ ସମସ୍ୟାକୁ ନେଇ କେତେଥର ଆଉ କେଉଁ ସ୍ଥାନରେ ଛତିଶଗଡ଼ ସରକାର, କେନ୍ଦ୍ର ସରକାରଙ୍କ ସହ ଓଡ଼ିଶା ସରକାର ଆଲୋଚନା କରିଛନ୍ତି? ଆଉ ଏହାର ସମାଧାନ ପାଇଁ ସରକାର କଣ ପଦକ୍ଷେପ ନେଇଛନ୍ତି ?
ଏହାର ଲିଖିତ ଉତ୍ତର ରଖି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଗତ ୧୬ ମାସ ମଧ୍ୟରେ ମହାନଦୀ ଜଳ ସମସ୍ୟାକୁ ନେଇ ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୃହମନ୍ତ୍ରୀ ଏବଂ ବିଭାଗୀୟ ମନ୍ତ୍ରୀଙ୍କୁ ଭେଟି ଆପୋଷ ଆଲୋଚନା ମାଧ୍ୟମରେ ସମାଧନ ପାଇଁ କଥା ହେଇଛନ୍ତି। ଏହାବ୍ୟତୀତ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ମଧ୍ୟରେ ନୂଆଦିଲ୍ଲୀରେ ସଚିବସ୍ତରୀୟ ଦୁଇଟି ବୈଠକ ଏବଂ ଟେକ୍ନିକାଲ କମିଟି ସ୍ତରୀୟ ୬ଟି ବୈଠକ ବସି ଆଲୋଚନା ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇଛନ୍ତି
ଅଧିକ ପଢନ୍ତୁ: କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ, ଧୋଇଗଲା ପ୍ରଶ୍ନକାଳ