ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍ଥିକ ଅନୁଦାନ ଘୋଷଣା କରାଯାଇଛି । ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୧ କୋଟି ଟଙ୍କାର ଅର୍ଥ ରାଶି ମଞ୍ଜୁର ହୋଇଛି । ସେହିପରି ସିଧା ପ୍ରସାରଣ, ଗେଟ୍ ଏବଂ ପର୍ଯ୍ୟଟକ ବସ୍ ମଧ୍ୟ ଚଳାଚଳ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।
ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍ଥିକ ଅନୁଦାନ ଘୋଷଣା କରାଯାଇଛି । ବରଗଡ଼ ଧନୁଯାତ୍ରା ପାଇଁ ୧ କୋଟି ଟଙ୍କାର ଆର୍ଥିକ ଅନୁଦାନ ଦେବାକୁ ରାଜ୍ୟ ସଂସ୍କୃତି ବିଭାଗ ନିଷ୍ପତ୍ତି ନେଇଛି । ସେହିପରି ନାଟକ ପରିବେଷଣ କରିବାକୁ ଥିବା ୨୦୦ କଳାକାରମାନଙ୍କୁ ୧୦ ହଜାର ଲେଖାଏଁ ସମ୍ମାନ ସୂଚକ ରାଶି ପ୍ରଦାନ କରାଯିବ । ବରଗଡ଼ ଧନୁଯାତ୍ରାର ସିଧା ପ୍ରସାରଣ କରାଯିବ । ବଡ଼ ବଡ଼ ଏଲଇଡି ପରଦାରେ ଦର୍ଶକମାନେ ଧନୁଯାତ୍ରା ନାଟକର ସିଧା ପ୍ରସାରଣ ଦେଖି ପାରିବେ । ସହର ପ୍ରମୁଖ ପ୍ରବେଶ ପଥରେ ଧନୁଯାତ୍ରା ବିଷୟ ବସ୍ତୁ ଉପରେ ଗେଟ୍ ନିର୍ମାଣ ହେବ ।
ଖାଲି ସେତିକି ନୁହେଁ ଧନୁଯାତ୍ରା ଦେଖିବାକୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏବଂ ରାଜ୍ୟ ବାହାରୁ ବହୁ ଦର୍ଶକ ଆସିଥାଆନ୍ତି । ତେଣୁ ଏହି ସମୟରେ ଭୁବନେଶ୍ୱର ଏବଂ ପୁରୀ ସହରରୁ ବରଗଡ଼କୁ ସ୍ୱତନ୍ତ୍ର ପର୍ଯ୍ୟଟକ ବସ୍ ଚଳାଚଳ କରିବାକୁ ନିଷ୍ପତ୍ତି ହୋଇଛି । ଧନୁ ଯାତ୍ରାକୁ ଓଡ଼ିଶାର ସମୃଦ୍ଧ ଐତିହ୍ୟର ଉତ୍ସବ ହୋଇଥିବାରୁ ତାହାକୁ ସିଧାପ୍ରସାରଣ କରିବାକୁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସୂର୍ଯ୍ୟବଂଶୀ ସୂରଜ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଆସନ୍ତା ଡିସେମ୍ବର ମାସ ୨୪ ତାରିଖରୁ ଜାନୁଆରୀ ୩ ପର୍ଯ୍ୟନ୍ତ ବୃହତ୍ ମୁକ୍ତାକାଶ ମଞ୍ଚରେ ବରଗଡ଼ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବ। ଧନୁଯାତ୍ରା ପାଇଁ କଳାକାର ଚୟନ ପ୍ରକ୍ରିୟା ଶେଷ ହୋଇଛି । ଭେଡେନ ବ୍ଲକ ଚିଚିଣ୍ଡା ଗ୍ରାମର ସୁଶୀଲ କୁମାର ମେହର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ କଂସ ମହାରାଜ ରୂପେ ମନୋନୀତ ହୋଇଛନ୍ତି । ସେହିପରି ପ୍ରଭାସ କୁମାର ତ୍ରିପାଠୀ (ମୁଷ୍ଟିକ), ହିମାଂଶୁ ସାହୁ (ଚାଣୁର), ଆର୍ତ୍ତତ୍ରାଣ ମହାପାତ୍ର (ଉଗ୍ରସେନ), କାମରାଜ ଭୋଇ (ନାରଦ), ମନୋଜ ସାହୁ (ବସୁଦେବ), ଜଗନ୍ନାଥ ସାହୁ (ଅକ୍ରୂର), ଜଗବନ୍ଧୁ ମହାଲିଙ୍ଗ (ସାର୍ତ୍ତକୀ), ଅମ୍ବାଭୋନାର ହେମନ୍ତ ପ୍ରଧାନ (ସେନାପତି), ଗୁଲାବ ଚନ୍ଦ୍ର ଦାଶ (ମହାମନ୍ତ୍ରୀ) ଚରିତ୍ର ପାଇଁ ଚୟନ ହୋଇଛନ୍ତି ।