ଭୁବନେଶ୍ୱର: ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀ ନିର୍ଯାତନା ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସ୍ୱତନ୍ତ୍ର ସଚିବ ଦେବ ପ୍ରସାଦ ଦାସଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍ ଅନୁଧ୍ୟାନ ପାଇଁ ମହାବିଦ୍ୟାଳୟରେ ପହଁଚିଛନ୍ତି । ସଂସ୍କୃତି ବିଭାଗ ଅଧିନରେ ମହାବିଦ୍ୟାଳୟ ଆସୁଥିବା ସଚିବ ଆସିଥିବା ସୂଚନା ଦେଇଛନ୍ତି । ଗଣମାଧ୍ୟମ ଖବର ପ୍ରସାରଣ ହେବା ପରେ ସ୍ୱତଃପ୍ରତଃଭାବେ ଆସିଥିବା କହିଛନ୍ତି ।
ସେପଟେ ଅଭିଯୋଗ ଆସିଥିବା ଡ୍ରାମା ବିଭାଗର ଅଧ୍ୟାପକ ଶତ୍ରୁଘ୍ନ ସାମଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିବା କୁହାଯାଉଛି । ତେବେ ଏ ନେଇ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।
ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଡ୍ରାମା ବିଭାଗର ଛାତ୍ରୀଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ଅଧ୍ୟାପକ ଶତ୍ରୁଘ୍ନ ସାମଲଙ୍କ ନାଁରେ କାଷ୍ଟିଂ କାଉଚ୍ ଭଳି ଅଭିଯୋଗ ଆସିଛି । ଯାହାର ପ୍ରତିବାଦରେ ଆଜି ଶତାଧିକ ଛାତ୍ରଛାତ୍ରୀ ରାଜରାସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଖବର ପାଇ ପୋଲିସ ମଧ୍ୟ ବିକ୍ଷୋଭ ସ୍ଥଳରେ ପହଁଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରି କଲେଜ ପରିସର ଭିତରକୁ ନେଇଥିଲା । ବିକ୍ଷୋଭ କରୁଥିବା ଜଣେ ଛାତ୍ରୀ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।