ଭୁବନେଶ୍ବର: ମହାଶିବରାତ୍ରୀ ପୂର୍ବରୁ ଏକାମ୍ର ପ୍ରକଳ୍ପ କାମ ସାରିବାକୁ ଯୋଜନା ରହିଛି।୧୫ ଦିନ ଭିତରେ ନୂଆ ଟେଣ୍ଡର ହେବ। ମହାଶିବରାତ୍ରି ପୂର୍ବରୁ ଜରୁରୀକାଳୀନ ଭିତ୍ତିରେ ପାର୍କିଂ ଏବଂ ମନ୍ଦିରର ଚତୁଃପାର୍ଶ୍ଵର ଆଲୋକୀକରଣ କାର୍ଯ୍ୟ, ପାର୍କିଂ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ବିନ୍ଦୁ ସାଗରକୁ ସଫା ସହ ଦେବୀ ପାଦହରା,ପାପ ନାଶିନୀର ପୁନଃ ଉଦ୍ଧାର କରାଯିବ। ଏନେଇ ସୂଚନା ଦେଇଛନ୍ତି ଏକାମ୍ର ବିଧାୟକ ବାବୁ ସିଂ।
ସେ କହିଛନ୍ତି ପୂର୍ତ୍ତ ବିଭାଗ ଏନେଇ ASIକୁ ଅର୍ଥ ଯୋଗେଇବ ଦେବ । ଯେଉଁଠି ଜମି ଅଧିଗ୍ରହଣ ସମସ୍ୟା ଥିଲା, ସେଠି କାମ ବନ୍ଦ ରହିଛି । ଯେଉଁ ସଂସ୍ଥାକୁ କାମ ଦିଆଯାଇଥିଲା ସେ ବିଳମ୍ବ କଲା । ତେଣୁ ୧୫ ଦିନରେ ଟେଣ୍ଡର ଡାକି ନୂଆ ସଂସ୍ଥାକୁ କାମ ଦିଆଯିବ ।
ସୂଚନାଯୋଗ୍ୟ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀ ରାଜ ହରିଚନ୍ଦନ ଏକାମ୍ର ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଶିବ ରାତ୍ରୀ ପୂର୍ବରୁ କାମ ସାରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବୁଧବାର ଲୋକସେବା ଭବନ ଠାରେ ଏକାମ୍ର ସଂରକ୍ଷଣ ଯୋଜନା ସମ୍ପର୍କରେ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ବିନ୍ଦୁସାଗରର ପାର୍ଶ୍ୱବର୍ତ୍ତୀ ସୌନ୍ଦର୍ଯ୍ୟକରଣ, ଔଷଧୀୟ ଉଦ୍ୟାନର ସଂରକ୍ଷଣ, ମନ୍ଦିର ସହିତ ବିଭିନ୍ନ ମଠର ପୁନଃନିର୍ମାଣ,ସେବାୟତ ମାନଙ୍କ ପାଇଁ ମୋବାଇଲ, ଶୌଚାଳୟର ବ୍ୟବସ୍ଥା ଇତ୍ୟାଦି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଉପରେ ଆଲୋଚନା ହୋଇଥିଲା । ଏକାମ୍ର ପ୍ରୋଜେକ୍ଟ ପାଇଁ ସମୁଦାୟ ଜମି ଅଧିଗ୍ରହଣରୁ ଅବଶିଷ୍ଟ ଅଂଶ ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ପୂର୍ତ୍ତ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।