ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ବର୍ତ୍ତମାନର ମ୍ୟାନେଜମେଣ୍ଟକୁ ନେଇ ପୂର୍ବତନ ଭାରତୀୟ ଖେଳାଳି ହରଭଜନ ସିଂ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଏହା ଦୁଭାର୍ଗ୍ୟପୂର୍ଣ୍ଣ ଯେ, ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପରି ବରିଷ୍ଠ ଖେଳାଳିଙ୍କ ଭବିଷ୍ୟତ ଏମିତି ଲୋକ ସ୍ଥିର କରୁଛନ୍ତି, ଯେଉଁମାନେ ନିଜ କ୍ୟାରିୟରରେ କିଛି ଖାସ୍ ହାସଲ କରି ନାହାନ୍ତି । ସେ ଆଶା ପ୍ରକଟ କରିଛନ୍ତି ଯେ, ଏହି ଦୁଇ ତାରକା ବ୍ୟାଟର ୨୦୨୭ ଦିନିକିଆ ବିଶ୍ୱକପ୍ ଖେଳିବେ । ରୋହିତ ୩୮ ବର୍ଷ ଏବଂ ବିରାଟ ୩୭ ବର୍ଷ କେବଳ ଦିନିକିଆ ଫର୍ମାଟ୍ ଖେଳୁଛନ୍ତି । ଉଭୟ ଦିନିକିଆ ବିଶ୍ୱକପ୍ ପର୍ଯ୍ୟନ୍ତ ଖେଳିବେ କି ନାହିଁ ତାକୁ ନେଇ ଅନେକ ପ୍ରକାରର କଳ୍ପନା ଜଳ୍ପନା ଲାଗି ରହିଛି ।
ଭାରତୀୟ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଓ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏହା ଉପରେ କୌଣସି ପ୍ରତିବଦ୍ଧତା ପ୍ରକାଶ କରି ନାହାନ୍ତି ଯେ, ଏହି ଦୁଇ ଖେଳାଳି ଦିନିକିଆ ବିଶ୍ୱକପ୍ ପର୍ଯ୍ୟନ୍ତ ଖେଳିବେ କି ନାହିଁ । ହରଭଜନ ସାରଜାରେ କହିଛନ୍ତି ଯେ, ଏହା ମୁଁ ବୁଝି ପାରୁନି ଏବଂ ଏହାର ଜବାବ ବି ଦେଇ ପାରିବିନି । କାରଣ ମୁଁ ନିଜେ ଏମିତି ସ୍ଥିତି ସହ ଲଢିଛି । ଏହା ମୋ ସହିତ ମଧ୍ୟ ଘଟିଛି ଯାହା ବର୍ତ୍ତମାନ ରୋହିତ ଓ କୋହଲିଙ୍କ ଘଟୁଛି । ମୋର ଏମିତି ଅନେକ ସାଥୀ ଖେଳାଳିଙ୍କ ସହ ଏମିତି ଘଟଣା ଘଟିଛି । ଆମେ ଏହା ଉପରେ ଆଲୋଚନା କରୁ ନାହାନ୍ତି କିମ୍ବା ଏହା ଉପରେ କେହି ଆଲୋଚନା କରିବାକୁ ଚାହୁଁ ନାହାନ୍ତି ।
ଭାରତ ପାଇଁ ଟେଷ୍ଟ କ୍ରିକେଟରେ ୪୧୭ ୱିକେଟ୍ ନେଇଥିବା ହରଭଜନ କୋହଲି ଓ ରୋହିତଙ୍କ ସହ ହେଉଥିବା ବ୍ୟବହାର ନେଇ ଚିନ୍ତା ପ୍ରକାଶ କରିଛନ୍ତି । ସେ କହିଛନ୍ତି, ବିରାଟଙ୍କ ପରି ଖେଳାଳିଙ୍କୁ ଯେବେ ଦମଦାର ପ୍ରଦର୍ଶନ କରୁଥିବା ଦେଖୁଛି ବହୁତ ଖୁସି ଲାଗୁଛି । ଏହା ଦୁର୍ଭାଗ୍ୟପୂର୍ଣ୍ଣ ଯେ, ସେହି ଲୋକେ ଦୁଇ ଖେଳାଳିଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରୁଛନ୍ତି ଯେଉଁମାନେ ନିଜ କ୍ୟାରିୟରରେ ଖାସ୍ କିଛି ହାସଲ କରି ପାରି ନାହାନ୍ତି । ଦିନିକିଆ ବିଶ୍ୱକପକୁ ଗୋଟିଏ ବର୍ଷରୁ ଅଧିକ ସମୟ ରହିଛି । ଆଶା କରୁଛି ରୋହିତ ଓ କୋହଲି ନିଜର ଫିଟନେସ୍ ବଜାୟ ରଖିବା ସହ ଭଲ ପ୍ରଦର୍ଶନ କରିବେ । ବିଶ୍ୱକପରେ ମଧ୍ୟ ଦମଦାର ପ୍ରଦର୍ଶନ କରିବେ ।
Also read: ଆଇପିଏଲ ପୂର୍ବରୁ ଇତିହାସ ରଚିଲେ କେକେଆରର ସୁନୀଲ ନାରାୟଣ, ବିଶ୍ବର ଶ୍ରେଷ୍ଠ ବୋଲର ତାଲିକାରେ ସାମିଲ