ଭୁବନେଶ୍ୱର: ଆଜି ହେଉଛି ନୌସେନା ଦିବସ। ଏହି ଅବସରରେ ନୌସେନା କର୍ମୀ ଓ ତାଙ୍କ ପରିବାରର ସଦସ୍ୟ ମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଟ୍ୱିଟ କରି ଲେଖିଛନ୍ତି ,ଭାରତୀୟ ନୌସେନା ଦିବସ ଅବସରରେ, ଆମେ ରାଷ୍ଟ୍ରର ସାମୁଦ୍ରିକ ସାର୍ବଭୌମତ୍ୱ ଏବଂ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ଭାରତୀୟ ନୌସେନାର ଅସୀମ ସାହସୀ ସୈନିକମାନଙ୍କର ଅତୁଳନୀୟ ସେବା ଓ ସର୍ବୋଚ୍ଚ ପ୍ରତିବଦ୍ଧତା ପ୍ରତି ଗଭୀର କୃତଜ୍ଞତା ଓ ଆନ୍ତରିକ ସମ୍ମାନ ଜଣାଉଛି। ସମୁଦ୍ରର ଅଦମ୍ୟ ଶକ୍ତି ଭାବରେ, ଆପଣମାନଙ୍କର ଉତ୍କୃଷ୍ଟ ବୃତ୍ତିଗତ ଦକ୍ଷତା ଏବଂ ଦେଶ ପ୍ରତି ସମର୍ପଣ ଭାବ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କହିଛନ୍ତି।
ସେ ଟ୍ୱିଟ କରି କହିଛନ୍ତି ଯେ – ଆମର ସାମୁଦ୍ରିକ ସୀମର ସୁରକ୍ଷା କରୁଥିବା ଜବାନ ମାନଙ୍କର ସାହସ ଓ ଭାବନାକୁ ସାଲ୍ୟୁଟ। ସମର୍ପଣ ଓ ପ୍ରତିବଦ୍ଧତାର ସହ ଆମ ଦେଶର ସାମୁଦ୍ରିକ ସ୍ୱାର୍ଥକୁ ରକ୍ଷା କରୁଥିବା ଆମର ଜବାନ ମାନଙ୍କ ପାଇଁ ଆମେ ଗର୍ବିତ।
୧୯୭୧ ପାକିସ୍ତାନ ବିରୋଧୀ ଯୁଦ୍ଧରେ ନୌସେନାର ସଫଳତାକୁ ସ୍ମାରକୀ ଭାବେ ନୌସେନା ଦିବସ ପାଳନ କରାଯାଉଛି। ନୌସେନା ଦିବସ ଓ ନୌସେନା ସପ୍ତାହରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମମାନ ପରିବେଷଣ ହୋଇଥାଏ। ଏନେଇ କେରଳ ଥିରୁଅନନ୍ତପୁରମସ୍ଥିତ ଶାଙ୍ଗୁମୁଘାନରେ ରଙ୍ଗାରଙ୍ଗ ଶୋ ହେବାର କାର୍ଯ୍ୟକ୍ରମ ରହିଛି। ଯେଉଁଥିରେ ବହୁ ଲଢୁଆ ଜାହାଜ ଓ ବିମାନ ଭାଗ ନେବେ।