ସମ୍ବଲପୁର: ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତ ଶାନ୍ତିନଗର ରାସ୍ତା ପାର୍ଶ୍ୱ ନାଳ ନିକଟରୁ ସନ୍ଦେହ ଜନକ ଅବସ୍ଥାରେ ଜଣେ ନାବାଳିକାଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତ ନାବାଳିକା ନବମ ଶ୍ରେଣୀରେ ପଢୁଥିଲେ । ସମ୍ପତ୍ତି ପାଇଁ ନାବାଳିକାଙ୍କୁ ହତ୍ୟା କରାଯାଇଛି ବୋଲି ମାମୁଁ ଘର ଲୋକେ ଅଭିଯୋଗ ଆଣିଛନ୍ତି ।
ଗତକାଲି ସକାଳେ ଘର ପାଖ ନାଳରୁ ନାବାଳିକାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି । ସେ ସ୍କୁଟିରେ ଯାଉଥିବାବେଳେ ତାଙ୍କର ମୃତ୍ୟୁ ହୋଇଛି । ସକାଳ ୭ଟାରେ ତାଙ୍କର ମୃତ ଦେହ ମିଳିଥିଲା । ସେ ବାପା ମା ଛେଉଣ୍ଡ ହୋଇଥିବାବେଳେ ଜେଜେମା ଏବଂ ଜେଜେ ବାପାଙ୍କ ପାଖରେ ରହୁଥିଲେ । ତାଙ୍କୁ ସମ୍ପତ୍ତି ପାଇଁ ହତ୍ୟା କରାଯାଇଛି ବୋଲି ମାମୁଁ ଅଭିଯୋଗ ଆଣିଛନ୍ତି । ଅଇଁଠାପାଲି ଥାନା ପୋଲିସ ପ୍ରଥମେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ମାମୁଁଙ୍କ କହିବା ମୁତାବକ ୨୦୧୪ରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କ ଭିଣୋଇ ଅର୍ଥାତ୍ ନାବାଳିକାର ବାପାଙ୍କର ମୃତ୍ୟୁ ହୋଇଥିଲା । ବାପା ମରିବାର ୩ ବର୍ଷ ପରେ ଅର୍ଥାତ୍ ୨୦୧୭ର ତାଙ୍କ ଭଉଣୀ ବା ନାବାଳିକାର ମା’ଙ୍କର ମୃତ୍ୟୁ ହୋଇଥିଲା। ଏହା ଏକ ଆତ୍ମହତ୍ୟା ବୋଲି କୁହାଯାଇଥିଲା । ତେବେ ଗତକାଲି ଏପରି ହଠାତ ଭାଣିଜୀଙ୍କର ମୃତ୍ୟୁ ହେବାକୁ ସେ ସହଜରେ ଗ୍ରହଣ କରି ପାରି ନାହାଁନ୍ତି । ସେ ଏତେ ସକାଳୁ କୁଆଡ଼େ ଯାଉଥିଲେ ବୋଲି ତାହା ବଡ଼ ପ୍ରଶ୍ନ । ଏହା ଦୁର୍ଘଟଣା ନୁହେଁ ବରଂ ସୁପରିକଳ୍ପିତ ହତ୍ୟା ବୋଲି ସେ କହିଛନ୍ତି ।
ସେପଟେ ନାବାଳିକାର ପିଉସୀ କହିଛନ୍ତି ଯେ ସେମାନେ ସବୁ ତଦନ୍ତ ପାଇଁ ପ୍ରସ୍ତୁତ ଅଛନ୍ତି ।