ମାଲକାନଗିରି: ଛତିଶଗଡ଼ ବିଜାପୁର-ଦନ୍ତେୱାଡ଼ା ଜଙ୍ଗଲରେ ହୋଇଥିବା ଏନକାଉଣ୍ଟରରେ ମୃତ ମାଓବାଦୀଙ୍କ ସଂଖ୍ୟା ୧୭ରେ ପହଁଚିଛି । ଆଜି ଆଉ ତିନି ୫ ଜଣଙ୍କ ମୃତ ଦେହ ମିଳିଛି ।
ସେପଟେ ମାଓବାଦୀଙ୍କ ଗୁଳିରେ ସହିଦ ହୋଇଥିବା ଜବାନଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଛି । ସହିଦ ଡିଆରଜି ହେଡ୍ କନଷ୍ଟେବଳ ମୋନୁ ବଡାଡି, କନେଷ୍ଟବଳ ଦୁକାରୁ ଗୋଣ୍ଡେ ଏବଂ ରମେଶ ସୋଡ଼ି । ବସ୍ତର ଆଇଜି ପି.ସୁନ୍ଦରରାଜ, ବସ୍ତର ଡିଆଇଜି, ସିଆରଫିଏଫ୍ ଡିଆଇଜି, ସ୍ଥାନୀୟ ବିଧାୟକ ଅନ୍ତିମ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସମସ୍ତ ଅଧିକାରୀମାନେ ନିଜେ ଯବାନଙ୍କ ପାର୍ଥିବ ଶରୀରକୁ କାନ୍ଧ ଦେଇଛନ୍ତି । ଶ୍ରଦ୍ଧାଞ୍ଜଳି ଦିଆଯିବା ପରେ ଯବାବଙ୍କ ପାର୍ଥୀବ ଶରୀରକୁ ନିଜର ନିଜର ପୈତୃକ ସ୍ଥାନକୁ ପଠାଇ ଦିଆଯାଇଛି । ଏବେବି ଆହୁରି ଦୁଇ ଜଣ ଯବାନ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି ।
ମାଓ ସଂଗଠନ ପିଏଲଜିଏ ସପ୍ତାହ ପାଳନ ଚାଲିଥିବାବେଳେ ଗତକାଲି ଦନ୍ତେୱାଡ଼ା ଏବଂ ବିଜାପୁରରେ ମାଓ ମେଳି ନେଇ ସୂଚନା ମିଳିଥିଲା । ଏହା ପରେ ଡିଷ୍ଟ୍ରିକ୍ଟ ରିଜର୍ଭ ବାଟାଲିୟନ୍, ସ୍ପେଶାଲ୍ ଟାସ୍କ ଫୋର୍ସ, ରାଜ୍ୟ ପୋଲିସର ଦୁଇଟି ୟୁନିଟ୍ ଓ କୋବ୍ରା ବାହିନୀଙ୍କୁ ନେଇ ମିଳିତ ଅପରେସନ୍ କରାଯାଇଥିଲା । ଏହି ସମୟରେ ମାଓବାଦୀ ଏବଂ ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ବହୁ ସଂଖ୍ୟକ ମାଓବାଦୀ ନିପାତ ହୋଇଥିଲେ । ଗତକାଲି ୧୨ ମାଓବାଦୀଙ୍କ ମୃତ୍ୟ ଦେହ ମିଳିଥିବାବେଳେ ଆଜି ଆଉ ୫ଟି ମୃତ ଦେହ ଠାବ କରାଯାଇଛି । ଏହା ସହିତ ଏସଏଲଆର୍ ରାଇଫଲ, .୩୦୩ ରାଇଫଲ୍ ଏବଂ ଅନ୍ୟ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।
ତେବେ ଚଳିତ ବର୍ଷ ଏଯାବତ ଛତିଶଗଡ଼ରେ ୨୭୦ ମାଓବାଦୀ ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି ।