ନୂଆଦିଲ୍ଲୀ: ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ତାର ନେଟୱାର୍କ ବିସ୍ତାର କରୁଛି । ଜେଏଏମ୍ ତାର ମହିଳା ସଂଗଠନକୁ ସୁଦୃଢ଼ କରୁଛି । ଅନଲାଇନ ମାଧ୍ୟମରେ ଦିଆଯାଉଛି ତାଲିମ । ସୁରକ୍ଷା ଏଜେନ୍ସିମାନେ ସନ୍ଦେହ ପ୍ରକାଶ କରିଛନ୍ତି ଯେ ଜେଏଏମ୍ ମହିଳା ଶାଖା ଜମାତ-ଉଲ-ମୋମିନାତରେ ୫,୦୦୦ରୁ ଅଧିକ ମହିଳାଙ୍କୁ ନିଯୁକ୍ତି ଦେଇଛି ଏବଂ ଏହି ମହିଳାଙ୍କୁ ଆତଙ୍କବାଦୀ କରିବା ପାଇଁ ମଧ୍ୟ କାମ କରୁଛି।
ଏକ ସୋସିଆଲ ମିଡିଆ ପୋଷ୍ଟରେ ମଧ୍ୟ ଜୈଶର ମୁଖ୍ୟ ମାସୁଦ ଆଝାର ଏହାକୁ ସ୍ୱୀକାର କରିଛି । ଆଝାର କହିଛି ଯେ ସଂଗଠନର ମହିଳା ଶାଖାରେ ଯୋଗ ଦେଉଥିବା ମହିଳାଙ୍କ ସଂଖ୍ୟା ବୃଦ୍ଧି ପାଉଛି ଏବଂ ଜିଲ୍ଲା ୟୁନିଟ୍ ସ୍ଥାପନ କରିବାର ଆବଶ୍ୟକତା ରହିଛି । ଏହା ଆଲ୍ଲାଙ୍କ କୃପା ଯେ କିଛି ସପ୍ତାହ ମଧ୍ୟରେ ୫,୦୦୦ରୁ ଅଧିକ ମହିଳା ସଂଗଠନରେ ଯୋଗ ଦେଇଛନ୍ତି । ଅନେକ ମହିଳା କହିଛନ୍ତି ଯେ ସେମାନେ ଯୋଗ ଦେବା ମାତ୍ରେ ସେମାନଙ୍କର ମାନସିକ ଅବସ୍ଥା ପରିବର୍ତ୍ତନ ହୋଇଛି ଏବଂ ସେମାନେ ଜୀବନର ଉଦ୍ଦେଶ୍ୟ ବୁଝିପାରିଛନ୍ତି। ଏବେ ସେମାନେ ଏକାଠି ହୋଇ ଜିଲ୍ଲା ୟୁନିଟ୍ ଗଠନ କରିବେ। ପ୍ରତ୍ୟେକ ଜିଲ୍ଲାରେ ଜଣେ ପରିଚାଳକ ରହିବେ ଏବଂ କାମ ବିଭାଜିତ ହେବ ।
ଆତଙ୍କବାଦୀ ଆଝାର ଅକ୍ଟୋବର ୮ ତାରିଖରେ ଜୈଶ ମୁଖ୍ୟାଳୟରେ ଜମାତ-ଉଲ-ମୋମିନାତ ପ୍ରତିଷ୍ଠା କରିଥିଲେ। ସେବେଠାରୁ, ସଂଗଠନରେ ମହିଳାମାନଙ୍କୁ ନିରନ୍ତର ନିଯୁକ୍ତି ଦିଆଯାଇଛି। ଏହି ଅଭିଯାନ ଅଧୀନରେ, ପାକିସ୍ତାନର ବାହାୱାଲପୁର, ମୁଲତାନ, ସିଆଲକୋଟ, କରାଚୀ, ମୁଜାଫରାବାଦ ଏବଂ କୋଟଲିର ମହିଳାମାନଙ୍କୁ ଆତଙ୍କବାଦୀ ସଂଗଠନରେ ନିଯୁକ୍ତି ଦିଆଯାଉଛି। ମାସୁଦ ଆଝାରର ଭଉଣୀ ସାଦିଆ ଆଝାର ଜମାତ-ଉଲ-ମୋମିନାତର ମୁଖ୍ୟଭାବେ ପରିଚାଳନା କରୁଛି । ସେ ଆତଙ୍କବାଦୀ ୟୁସୁଫ ଆଝାରଙ୍କ ପତ୍ନୀ ଅଟେ । ସାଦିଆଙ୍କ ସ୍ୱାମୀ ୟୁସୁଫ ଆଝାର ଅପରେସନ ସିନ୍ଦୁର ସମୟରେ ଭାରତୀୟ ସେନା ଦ୍ୱାରା ନିହତ ହୋଇଥିଲା ।
ଏହି ମହିଳା ଆତଙ୍କବାଦୀ ଶାଖାର ଆଉ ଏକ ପ୍ରମୁଖ ବ୍ୟକ୍ତି ହେଉଛନ୍ତି ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ଉମର ଫାରୁକର ପତ୍ନୀ ଆଫିରା, ଯିଏକି ଏକ ଏନକାଉଣ୍ଟରରେ ମଧ୍ୟ ନିହତ ହୋଇଥିଲା ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ମହିଳାମାନଙ୍କୁ ଜମାତ-ଉଲ-ମୋମିନାତରେ ନିଯୁକ୍ତି ଦିଆଯାଉଛି ଏବଂ ଅନଲାଇନରେ ତାଲିମ ଦିଆଯାଉଛି। ଏହି ଅନଲାଇନ୍ କ୍ଲାସଗୁଡ଼ିକ ୪୦ ମିନିଟ୍ ଚାଲୁଛି ଏବଂ ପ୍ରତ୍ୟେକ ଅଂଶଗ୍ରହଣକାରୀଙ୍କୁ ମାତ୍ର ୫୦୦ ଟଙ୍କା ଦେବାକୁ ପଡିବ। ସଂଗଠନର ଯୋଜନା ହେଉଛି ମହିଳାମାନଙ୍କୁ ମୌଳବାଦୀ କରିବା ଏବଂ ଆଇଏସଆଇଏସ ହମାସ ଏବଂ ଏଲଟିଟିଇ ଭଳି ଆତ୍ମଘାତୀ ଆକ୍ରମଣ ପାଇଁ ଆତଙ୍କବାଦୀ ବ୍ରିଗେଡକୁ ପ୍ରସ୍ତୁତ କରିବା।