ରାଉରକେଲା: ରାଉରକେଲା ଛେଣ୍ଡ ଅଞ୍ଚଳରେ ଚାଲିଥିବା ନକଲି ମଦ କାରବାରର ପର୍ଦ୍ଦାଫାସ କରିଛି ଅବକାରୀ ବିଭାଗ । ପୋଲିସ ବିପୁଳ ପରିମାଣରେ ନକଲି ଜବତ କରିବା ସହିତ ୫ ଜଣଙ୍କୁ ଗିରଫ କରିଛି । ସେମାନେ ସମସ୍ତେ ଝାଡ଼ଖଣ୍ଡରୁ ନକଲି ମଦ ଆଣି ବିକ୍ରି କରୁଥିଲେ ବୋଲି ସୂଚନା ମିଳିଛି ।
ଛେଣ୍ଡ କଲୋନୀରେ ନକଲି ମଦ କାରବାର ଚାଲିଥିବା ନେଇ ଅବକାରୀ ଥାନା ପୋଲିସକୁ ଏକ ଗୁପ୍ତ ସୂଚନା ମିଳିଥିଲା । ଏହା ପରେ ଉପ ଅଧୀକ୍ଷିକା ଅର୍ଚ୍ଚନା ବାରିକ ଓ ରାଉରକେଲା ଅବକାରୀ ମଣ୍ଡଳ ନିରୀକ୍ଷକ ମୋହନ ପ୍ରଧାନଙ୍କ ସହିତ ଏକ ଟିମ ଚଢ଼ାଉ କରିଥିଲେ । ଧାମରା ବସ୍ତି ନିକଟସ୍ଥ ସୈନିକ ଭବନଠାରେ ଚଢ଼ଉ କରିଥିଲା । ମଦ ବିକ୍ରି ପାଇଁ ମୂଲଚାଲ ଚାଲିଥିବାବେଳେ ପୋଲିସ ୫ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ମୁଖ୍ୟ ଅଭିଯୁକ୍ତ ଥିବା ବେଳେ ୨ ଜଣ ଅଟୋ ଚାଳକ ଏବଂ ଜଣେ ଢାବା ମାଲିକ ରହିଛନ୍ତି । ସେମାନେ ହେଲେ ଗୋପବନ୍ଧୁପାଲିର ହମିଦ୍ ଖାନ୍(୪୪), ସେକ୍ଟର-୧୯ର ଦୀପକ ଗୌଡ଼(୪୨), ବାସନ୍ତୀ କଲୋନିର ଶିବ ହିଣ୍ଡୋଚା(୪୩), ଉଦିତନଗରର ଅଭତାର୍ ସିଂହ(୩୪) ଏବଂ ଛେଣ୍ଡର ଦିଲ୍ଲୀପ ବେହେରା(୫୪)।
ଅବକାରୀ ପୋଲିସ ୧୧୫ ଲିଟର ନକଲି ବିଦେଶୀ ମଦ ଜବତ କରିଛି । ଏହା ସହିତ ୨୦୦ଟି ଖାଲି ବୋତଲ, ୪୯୭ଟି କର୍କ, ୨୪୬ଟି ଷ୍ଟିକର ଏବଂ ୩୬୩ ଏକ୍ସାଇଜ୍ ଏଡିସେଭ୍ ଲେବୁଲ ସହ ଗୋଟିଏ ଅଟୋ, ଗୋଟିଏ ବାଇକ୍ ଏବଂ ଗୋଟିଏ ସ୍କୁଟି ଜବତ କରାଯାଇଛି । ଜବତ ନକଲି ମଦ ଏବଂ ସାମଗ୍ରୀର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । ସେମାନେ ଝାଡ଼ଖଣ୍ଡରୁ ନକଲି ମଦ ଆଣି ସହରର ବିଭିନ୍ନ ଢାବାରେ ବିକ୍ରି କରୁଥିଲେ ବୋଲି ଜଣାପଡ଼ିଛି । ସେମାନଙ୍କ ନାଁରେ ପୂର୍ବରୁ ଅପରାଧିକ ମାମଲା ଥିବା ନେଇ ପୋଲିସ ସୂତ୍ରରୁ ଜଣାପଡ଼ିଛି ।