ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଯେଉଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି, ତାହା କେବଳ ବିକଶିତ ଭାରତର ବଜେଟକୁ ପ୍ରତିଫଳନ କରୁନାହିଁ ବରଂ ଏହା ଏକ ଐତିହାସିକ, ଭବିଷ୍ୟତବାଦୀ ଓ ଦୂରଦୃଷ୍ଟି ସମ୍ପନ୍ନ ବଜେଟ୍ । ଏହି ବଜେଟରୁ ଓଡ଼ିଶା ଭଳି ରାଜ୍ୟ ସବୁଠୁ ବଡ ଲାଭାର୍ଥୀ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ନୂଆଦିଲ୍ଲୀଠାରେ ସୋମବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ ସାଢ଼େ ଚାରି କୋଟି ଓଡ଼ିଆଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ ୨୦୩୬ରେ ଓଡ଼ିଶା ଭାଷା ଭିତ୍ତିରେ ୧୦୦ ବର୍ଷ ପୂରଣ କରିବ । ୨୦୪୭ରେ ଆମ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ । ଏହାକୁ କଳ୍ପନାରେ ରଖି ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ପାଇଁ ବଜେଟ୍ ପ୍ରସ୍ତୁତ ହୋଇଛି । ଗୋଟିଏ ଶିଶୁର ଜନ୍ମ ହେବା ପର ଠାରୁ ଆରମ୍ଭ କରି ଯୁବାବସ୍ଥାରେ ଉଚ୍ଚତର ଗବେଷଣା କରିବା ଏବଂ ଦକ୍ଷତା ବୃଦ୍ଧି ପର୍ଯ୍ୟନ୍ତ ଏହି ବଜେଟରେ ବିଶେଷ ଗୁରୁତ୍ୱ ଦିଆଯାଇଛି ।
ବଜେଟରୁ ଡବଲ ଇଞ୍ଜିନ ସରକାରର ସହଯୋଗରେ ଓଡ଼ିଶା ଭଳି ଅପାର ସମ୍ଭାବନାର ରାଜ୍ୟର ଅଭିବୃଦ୍ଧି ହେବ । ଗରିବ, ଚାଷୀ, ମହିଳା, ଯୁବକ, ବଞ୍ଚିତ, ପଛୁଆ ବର୍ଗ ଏବଂ ଦିବ୍ୟାଙ୍ଗମାନଙ୍କୁ ବଜେଟ୍ ସଶକ୍ତ କରିବ । ଗାଁରେ ବସବାସ କରୁଥିବା ଲୋକମାନଙ୍କ ଜୀବନଧାରଣ ମାନରେ ଉନ୍ନତି ହେବ । ଶିକ୍ଷା, ଦକ୍ଷତା ବିକାଶ, ଗବେଷଣା ଓ ଉଦ୍ଭାବନକୁ ପ୍ରୋତ୍ସାହନ ମିଳିବ । ଶିଳ୍ପ, ଶକ୍ତି, ପର୍ଯ୍ୟଟନ ଓ ଆନୁଷଙ୍ଗିକ ଭିତ୍ତିଭୂମି ଭଳି କ୍ଷେତ୍ରକୁ ଆହୁରି ଅଧିକ ଗତି ମିଳିବ । ଓଡ଼ିଶାରେ ରୋଜଗାର ବଢିବ । ନିକଟରେ ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ପ୍ରଧାନମନ୍ତ୍ରୀ ଯୋଗଦେଇ ଓଡ଼ିଶାର ଅଗ୍ରଗତି ଓ ଅଭିବୃଦ୍ଧି ପାଇଁ ଯେଉଁ ଭିଜନ ରଖିଛନ୍ତି, ତାହାକୁ ପୂରଣ କରିବା ଦିଗରେ ଏହି ବଜେଟ୍ ବେଶ୍ ସହାୟକ ହେବ ।