ଭୁବନେଶ୍ୱର: ଆଉ ଦିନକ ପରେ ଆରମ୍ଭ ହେବ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭ ମେଳା । ଯାତ୍ରା ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଯାତ୍ରା ମଞ୍ଚରେ ଦୁଲୁକିବ ଖଣ୍ଡଗିରି ପାଦ ଦେଶ । ଯାତ୍ରା ମଧ୍ୟରେ ପ୍ରତିଯୋଗିତା ଚରମରେ ପହଞ୍ଚିବ । ହଜାର ହଜାର ଦର୍ଶକଙ୍କ କୋଳାହୋଳରେ ଉଚ୍ଛୁଳିବ ଖଣ୍ଡଗିରି ଯାତ୍ରା । ତେବେ ସବୁଠୁ ଅଧିକ ଚର୍ଚ୍ଚା ଖଣ୍ଡଗିରିରେ ଅଶ୍ଳୀଳ ନୃତ୍ୟକୁ ବନ୍ଦ କରିବା । ଏହା ମଧ୍ୟରେ ଆଜି ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ସଂପୂର୍ଣ୍ଣ ବନ୍ଦ ପାଇଁ ବିଏମଏସି ପକ୍ଷରୁ କଡା ନିର୍ଦ୍ଦେଶ ଦିଆଯାଇଛି । ଏପରିକି ସମସ୍ତ ଯାତ୍ରାମାଲିକଙ୍କୁ ବିଏମସି କମିଶନର ଚେତାବନୀ ଦେଇଛନ୍ତି ।
ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ନେଇ ବିଏମସି କମିଶର ରାଜେଶ ପ୍ରଭାକର ପାଟିଲ୍ କହିଛନ୍ତି ଯେ, ଐତିହ୍ୟ ପରମ୍ପରା ମର୍ଯ୍ୟାଦା ଭିତରେ ରହି ଯାତ୍ରା ପରିବେଷଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସବୁ ଯାତ୍ରା କମିଟିକୁ ଏ ବିଷୟରେ ଅବଗତ କରାଇ ଦିଆଯାଇଛି । ଆଶା କରୁଛୁ ଗାଇଡଲାଇନ ଅନୁସାରେ ଯାତ୍ରା ଅନୁଷ୍ଠିତ ହେବ ।
ଖଣ୍ଡଗିରି କୁମ୍ଭ ମେଳାରେ ସ୍ଥାୟୀ ଆଲୋକୀକରଣ, ପାନୀୟ ଜଳ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯିବ । ପାଞ୍ଚକୁଣ୍ଡର ଖୁବ ଶୀଘ୍ର ପୁନରୁଦ୍ଧାର କରାଯିବ । ଶହେ ମିଟରରେ ଜଣେ ଲେଖାଏଁ ସ୍ୱାସ୍ଥ୍ୟ କର୍ମୀ ନିୟୋଜିତ ହେବେ । ପରିବେଶ ସଫସୁତୁରା ରଖିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି । ବିଶେଷ କରି ପରିମଳ ବ୍ୟବସ୍ଥା ବଳବତ୍ତର ରହିବ ।
ସୂଚନାଯୋଗ୍ୟ, ଏଥର ମଧ୍ୟ ଖଣ୍ଡଗିରି ଯାତ୍ରାରେ ଆଇଟମ ଗାର୍ଲ ନିଶା ମହାରଣା, ସାହୁ ଭାଉଜ ଓ ରାଣୀ ପ୍ରିୟଦର୍ଶିନୀଙ୍କୁ ବାରଣ କରାଯାଇଛି । ଏହାକୁ ନେଇ ତିନି ଆଇଟମ ଗାର୍ଲ କ୍ଷୁବ୍ଧ ପ୍ରକାଶ କରିଛନ୍ତି । ବିଏମସିର ଏହି ନିଷ୍ପତ୍ତିକୁ ସବୁ ମହଲରେ ସ୍ୱାଗତ କରାଯାଇଛି । କାରଣ ସଂପ୍ରତି ଯାତ୍ରାରେ ଅଙ୍ଗ ପ୍ରଦର୍ଶନ ସବୁ ସୀମା ଉଲ୍ଲଂଘନ କରି ସାରିଛି । ରାଜ୍ୟର ଅନେକ ଅଞ୍ଚଳରେ ଯାତ୍ରା ପରିବେଷଣ ସମୟରେ ଏହି ସବୁ ଆଇଟମ ଗାର୍ଲମାନଙ୍କୁ ଡକାଇ ମଞ୍ଚରେ ଅଙ୍ଗ ପ୍ରଦର୍ଶନ କରାଯାଇ କମିଟିମାନେ ଟଙ୍କା ରୋଜଗାର କରୁଥିବା ଅଭିଯୋଗ ଆସିଛି । ଏମିତି ନୃତ୍ୟକୁ ସଂପୂର୍ଣ୍ଣ ଭାବେ ବନ୍ଦ କରିବାକୁ ଦାବି ଉଠିଛି ।