ମାଲକାନଗିରି: ଗିରଫ ହେବେ ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ତଥା ଆଇଏଏସ୍ ମନୀଷ ଅଗ୍ରୱାଲ । ତତ୍କାଳୀନ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ମୃତ୍ୟୁ ଘଟଣାରେ ମନୀଷ ଅଗ୍ରୱାଲ ଓ ଅନ୍ୟ ତିନି ଜଣଙ୍କ ନାମରେ ଜାମିନ ବିହୀନ ଗିରଫ ପରୱାନା (NBW) ଜାରି ହୋଇଛି । ମାଲକାନଗିରି ଏସଡିଜେଏମ୍ କୋର୍ଟ ଏନବିଡବ୍ଲ୍ୟୁ ଜାରି କରିଛନ୍ତି ।
ତତ୍କାଳୀନ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ହତ୍ୟା ମାମଲାରେ ମାନ୍ୟବର ମାଲକାନଗିରି ଏସଡିଜେଏମ୍ କୋର୍ଟ ସୋମବାର ଶୁଣାଣି କରି ବଡ଼ ନିର୍ଦ୍ଦେଶ ଦେଇଛନ୍ତି । ବାରମ୍ବାର ସମନ ପରେ ମଧ୍ୟ କୋର୍ଟରେ ହାଜର ନ ହେବା ଏବଂ କୋର୍ଟଙ୍କ ଆଦେଶକୁ ଅବଜ୍ଞା କରିବା ଆଇଏଏସ୍ ମନୀଷ ଅଗ୍ରୱାଲଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ସମନ ପରେ କୋର୍ଟରେ ହାଜର ନ ହୋଇ ସମୟ ପରେ ସମୟ ଗଡ଼ାଉ ଥିବାରୁ ମନୀଷ ଅଗ୍ରୱାଲ ଓ ତାଙ୍କ ୩ ସହଯୋଗୀଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଛି । ତାଙ୍କର ତିନି ସହଯୋଗୀ ହେଲେ ଅବସରପ୍ରାପ୍ତ ଓଏଏସ୍ ଅଧିକାରୀ ଭଗବାନ ପାଣିଗ୍ରାହୀ, ଡାଟା ଏଣ୍ଟ୍ରି ଅପରେଟର ଭି ବେଣୁ ଓ ଷ୍ଟେନୋ ପ୍ରକାଶ ଚନ୍ଦ୍ର ସ୍ୱାଇଁ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ୨୦୧୯ ଡିସେମ୍ବର ୨୭ରେ ତତ୍କାଳୀନ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡା ସନ୍ଦେହ ଜନକଭାବେ ନିଖୋଜ ହୋଇଯାଇଥିଲେ । ଦିନକ ପରେ ଡିସେମ୍ବର ୨୮ ତାରିଖରେ ମାଲକାନଗିରି ଉପଖଣ୍ଡ ସତୀଗୁଡା ଜଳ ଭଣ୍ଡାରରୁ ଦେବ ନାରାୟଣଙ୍କ ମୃତ ଦେହ ମିଳିଥିଲା । ତାଙ୍କୁ ହତ୍ୟା କରାଯାଇଥିବା ନେଇ ଦେବ ନାରାୟଣଙ୍କ ପତ୍ନୀ ବନଜା ପଣ୍ଡା ଅଭିଯୋଗ କରିଥିଲେ ।
ଘଟଣାର ବର୍ଷକ ପରେ ଅର୍ଥାତ ୨୦୨୦ ନଭେମ୍ବରରେ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ସମେତ ୪ ଜଣଙ୍କ ନାଁରେ ହତ୍ୟା ମାମଲା ରୁଜୁ କରାଯାଇଥିଲା । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମାମଲା ରୁଜୁ ହୋଇଥିଲା । ଆଇପିସି ଧାରା ୩୦୨, ୫୦୬, ୨୦୧, ୨୦୪, ୧୨୦(ବି), ୩୪ରେ ମାମଲା ରୁଜୁ ହୋଇଥିଲା ।