ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁହାରୀ ଶୁଣିବା କ୍ଷଣି ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ପୁଣି ଜଣେ ପିଲାର ଅସୁବିଧା ସମ୍ପର୍କରେ ଅବଗତ ହେବା ପରେ ନାବାଳକକୁ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସୋମବାର ଅଷ୍ଟମଥର ପାଇଁ ଖୋଲିଛି । ଏହି ସମୟରେ ବୌଦ୍ଧ ଜିଲ୍ଲାର ହେୟମ୍ବ ଗିରି ନାମକ ଜଣେ ଚାଲିପାରୁନ ଥିବା ନାବାଳକର ପରିବାର ପୁଅର ସ୍ୱାସ୍ଥ୍ୟାବସ୍ଥା ନେଇ ଅଭିଯୋଗ କରିଥିଲେ । ଉକ୍ତ ନାବାଳକ ଡିସେମ୍ବର ୩୦ ତାରିଖରେ ମଧ୍ୟ ଆସିଥିଲା । କଟକ ଏସସିବି ମେଡ଼ିକାଲରେ ଏକ ମାସ ଧରି ମାଗଣାରେ ଚିକିତ୍ସା କରାଯାଇଥିଲା ଏବଂ ସେ ଘରକୁ ଫେରିଥିଲା । ଏହା ଏକ ବିରଳ ରୋଗ । ଏହାର ଚିକିତ୍ସା ଦୀର୍ଘ ଦିନ ଧରି ଚାଲିବ । ପରିବାର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ଭଲ ନ ଥିବାରୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯିବ । ସେହିଭଳି ସେମାନଙ୍କର ଘର ନ ଥିବାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ସେହିପରି ଅନ୍ୟ ଜଣେ ଦିବ୍ୟାଙ୍ଗ ନାବାଳକର ଅଭିଯୋଗ ଶୁଣିବା ପରେ ମୁଖ୍ୟମନ୍ତ୍ରୀ ତ୍ୱରିତ ପଦକ୍ଷେପ ସ୍ୱରୂପ ନାବାଳକକୁ ମେଡ଼ିକାଲରେ ଭର୍ତ୍ତି କରି ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ନାବାଳକୁ ଆମ୍ବୁଲାନ୍ସ ଯୋଗେ ମେଡ଼ିକାଲ ପଠାଇଛନ୍ତି ।
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅଷ୍ଟମ ପାଳିରେ ୧୦୦୦ରୁ ଉର୍ଦ୍ଧ୍ୱ ଦରଖାସ୍ତ ଆସିଥିବାବେଳେ ୭୦୦ଟିର ସମାଧାନ ହୋଇଛି । ୮୦୩୧ଟି ଦରଖାସ୍ତ ଆସିଥିବାବେଳେ ୬୫୪୫ଟି ଦରଖାସ୍ତର ସମାଧାନ ହୋଇଛି । ଗତ ବର୍ଷ ଜୁଲାଇ ୧ରେ ୧୪୨୦ଟି ଅଭିଯୋଗ ହୋଇଥିବାବେଳେ ୧୨୮୦ଟି ଅର୍ଥାତ ୯୦ % ଦରଖାସ୍ତର ଶୁଣାଣି ଶେଷ ହୋଇଛି । ସେହିପରି ଜୁଲାଇ ୧୫ରେ ୮୮%, ଅଗଷ୍ଟ ୫ରେ ୮୬%, ସେପ୍ଟେମ୍ବର ୨୩ରେ ୮୪%, ଅକ୍ଟୋବର ୨୧ରେ ୮୩ %, ଡିସେମ୍ବର ୧୬ରେ ୫୪ % ଏବଂ ଡିସେମ୍ବର ୩୦ରେ ୪୭% ଅଭିଯୋଗର ସମାଧାନ ହୋଇଛି ।