ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଏକ ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୋଲିସ ଏହି ଘଟଣାର ତଦନ୍ତ ଜାରି କରିଛି ।
ସୂଚନା ଅନୁସାରେ, ଏକ ୫ ବର୍ଷର ଶିଶୁକନ୍ୟା ଗତ ଗୁରୁବାରରୁ ଘରୁ ନିଖୋଜ ଥିଲା । ଏନେଇ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ନ ପାଇବାରୁ ଶୁକ୍ରବାର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଏହି ଘଟଣାର ତଦନ୍ତ ଜାରି କରିଥିଲା । ଆଜି ଶିଶୁକନ୍ୟାର ମୃତଦେହକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଛି । ଏହି ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି ।
ଘରଠାରୁ ମାତ୍ର ଶହେ ମିଟର ଦୂର ଗୋଟିଏ ମହୁଲ ଗଛ ମୂଳରୁ ଶିଶୁକନ୍ୟାର ମୃତଦେହକୁ ପୋଲିସ ଉଦ୍ଧାର କରିଛି । ଶିଶୁକନ୍ୟାର ମୃତଦେହକୁ ଦେଖି ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି । କିନ୍ତୁ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଶିଶୁକନ୍ୟାର ମୃତଦେହକୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ରଖାଯାଇଛି। ଶିଶୁ ବିଶେଷଜ୍ଞର ଏକ ଟିମ୍ ଏହି ଘଟଣାର ତଦନ୍ତ କରିବା ପରେ ସମସ୍ତ ସତ୍ୟାସତ୍ୟ ସାମ୍ନାକୁ ଆସିବ । କିଏ ଓ କେଉଁ କାରଣରୁ ଏପରି ଅମାନୁଷିକ କାନ୍ଦ କରିଛି ପୋଲିସ ଏହି ଘଟଣାର ତଦନ୍ତ ଜାରି କରିଛି । ପୋଲିସ ଏହି ଘଟଣାରେ ଜଣଙ୍କୁ ଅଟକ ରଖି ଘଟଣା ସମ୍ପର୍କରେ ପଚରାଉଚରା କରୁଛି ।
ଅଧିକ ପଢ଼ନ୍ତୁ: ବସ୍ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା; ଜଣଙ୍କର ମୃତ୍ୟୁ, ଅନ୍ୟ ଜଣେ ଗୁରୁତର