ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆରମ୍ଭ ହେବାର କିଛି ଦିନ ଭିତରେ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଥିଲା । ଏପରିକି ଦଳ ଗୋଟିଏ ବି ଲିଗ୍ ମ୍ୟାଚ୍ ଜିତି ପାରି ନ ଥିଲା । ଏହାକୁ ନେଇ ପାକିସ୍ତାନକୁ ସମାଲୋଚନାର ଶିକାର ହେବାକୁ ପଡିଥିଲା । ଏହା ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି)ଦଳରେ କିଛି ପରିବର୍ତ୍ତନ କରିଥିଲା । ଏପରକି ଟି-୨୦ ଫର୍ମାଟରୁ ବାବର ଆଜମ ଓ ମହମ୍ମଦ ରିଜୱାନଙ୍କୁ ବାହାର କରି ଦେଲା । ଅଧିନାୟକ ଦାୟିତ୍ୱ ସଲମାନ ଆଗାଙ୍କୁ ଦିଆଗଲା । ମାତ୍ର ଫଳାଫଳ ବଦଳିଲା ନାହିଁ । ପାକିସ୍ତାନର ଅବସ୍ଥା ଯେମିତି ଥିଲା ଠିକ୍ ସେମିତି ରହିଛି । ପାକିସ୍ତାନକୁ ଚାମ୍ପିଅନ୍ସ ଟ୍ରଫି ପରେ ପ୍ରଥମ ମ୍ୟାଚରେ ହିଁ ଲଜ୍ଜାଜନକ ପରାଜୟ ମିଳିଛି ।
ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମୁକାବିଲା ଖ୍ରୀଷ୍ଟଚର୍ଚ୍ଚରେ ଖେଳା ଯାଇଛି । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୦୦ ରନ ବି ଛୁଇଁ ପାରିନି । ଦଳ ୧୮.୪ ଓଭରରେ ୯୧ ରନରେ ଅଲଆଉଟ୍ ହୋଇଛି । ଜାବରେ ନ୍ୟୁଜିଲାଣ୍ଡ ୧୦.୧ ଓଭରରେ ଗୋଟିଏ ୱିକେଟ୍ ହରାଇ ହିଁ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି । ପାକିସ୍ତାନ ଦଳ ନିଜର ଟି-୨୦ ଅନ୍ତର୍ଜାତୀୟରେ ତୃତୀୟ ସର୍ବନିମ୍ନ ସ୍କୋର କରିଛି ।
ପାକିସ୍ତାନ ପକ୍ଷରୁ ଖୁସଦିଲ ଶାହ ସର୍ବାଧିକ ୩୨ ରନ କରିଥିବା ବେଳେ ଅଧିନାୟକ ସଲମାନ ଆଗା ୧୮ ରନ ଓ ଜହାନଦାଦ ଖାଁ ୧୭ ରନ କରିଥିଲେ । ବାକି ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ କାଇଲ ଜେମିସନ ଘାତକ ବୋଲିଂ କରି ୪ ଓଭରରୁ ଗୋଟିଏ ମେଡେନ ଓ ମାତ୍ର ୮ ରନ ଦେଇ ୩ ପ୍ରମୁଖ ବ୍ୟାଟରଙ୍କୁ ଆଉଟ୍ କରିଛନ୍ତି । ଜ୍ୟାକବ ଡଫିକୁ ସର୍ବାଧିକ ୪ ସଫଳତା ମିଳିଛି । ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ୍ ସେଇଫର୍ଟ ୨୯ ବଲରୁ ୪୪ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ଫିନ ଆଲେନ ୨୯ ରନ ଓ ଟିମ ରବିନସନ ୧୮ ରନ କରି ଅପରାଜିତ ଥିଲେ । ଏହି ମ୍ୟାଚରେ ପାକିସ୍ତାନ ପକ୍ଷରୁ ତିନି ଖେଳାଳି ଅନ୍ତର୍ଜାତୀୟ ଟି-୨୦ରେ ପଦାର୍ପଣ କରିଛନ୍ତି ।