ପାଟନା: ଆରଜେଡିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତଥା ବିଧାୟକ ତେଜପ୍ରତାପ ଯାଦବଙ୍କୁ ଏବେ ଜରିମାନା ଭରିବାକୁ ପଡିପାରେ । କାରଣ ହୋଲି ଦିନ ଆରଜେଡି ନେତା ତେଜପ୍ରତାପ ଯାଦବ ପାଟନା ରାସ୍ତାରେ ବିନା ହେଲମେଟ ସ୍କୁଟି ଚଲାଉଥିବା ଦେଖିବାକୁ ମିଳିଛି । ଏବେ ପୋଲିସ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ମନସ୍ଥ କରି ନେଇଛି । ଏପରିକି ହୋଲି ଦିନ ତାଙ୍କ କହିବାନୁସାରେ ପୋଲିସ ପୋଷାକରେ ଠୁମକା ଲଗାଇଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ମାର୍ଚ୍ଚ ୧୫ରେ ଅର୍ଥାତ ଗତକାଲି ତେଜପ୍ରତାପ ଯାଦବଙ୍କ ବାସଭବନରେ ହୋଲି କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଥିବା ଆରଜେଡି ବିଧାୟକ ତେଜପ୍ରତାପ ଯାଦବ ମଞ୍ଚରେ ଏକ ପୋଲିସ କର୍ମଚାରୀଙ୍କୁ ଠୁମକା ଲଗାଇବାକୁ ଅର୍ଡର ଦେଇଥିଲେ , ନ ନାଚିଲେ ସସପେଣ୍ଡ କରି ଦିଆଯିବ ବୋଲି କହିଥିଲେ । ଏହା ପରେ ତେଜପ୍ରତାପ ଯାଦବ ଗୀତ ଗାଇଥିଲେ ଏବଂ ଉକ୍ତ ପୋଲିସ କର୍ମଚାରୀ ନାଚିଥିଲେ ।
ତେଜପ୍ରତାପ ଦ୍ୱାରା ପୋଲିସକୁ ଅର୍ଡର ଦିଆଯିବାର ଭିଡିଓ ସାମ୍ନାକୁ ଆସିଛି । ଏବେ ଏସଏସପି ଅବକାଶ କୁମାର ମାମଲାରେ ହସ୍ତକ୍ଷେପ କରିଛନ୍ତି । ଏସଏସପି ଉକ୍ତ କର୍ମଚାରୀଙ୍କୁ ପୋଲିସ ଲାଇନରେ ହାଜର ହେବାକୁ କହିଛନ୍ତି । ତେଜପ୍ରତାପ ଯାଦବଙ୍କ କହିବାନୁସାରେ ଅଙ୍ଗରକ୍ଷକ ସିପାହୀ ଦୀପକ କୁମାର ପୋଷାକରେ ନାଚିଥିଲେ । ଏବେ ପୋଲିସ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।