ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଂଟ୍ରୋଲ ବୋର୍ଡ(ବିସିସିଆଇ) ଆଇପିଏଲ୍ ୨୦୨୫ ପାଇଁ ଉଦଯାପନୀ ସମାରୋହର ଆୟୋଜନ କରିବ । ଏହି ଇଭେଣ୍ଟକୁ ସ୍ୱତନ୍ତ୍ର କରିବା ପାଇଁ ବୋର୍ଡ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଉଦଯାପନୀରେ ବିସିସିଆଇ ପକ୍ଷରୁ ଭାରତୀୟ ସେନାକୁ ସମ୍ମାନ ଦିଆଯିବ । ଏହି ସମାରୋହ ଅପରେସନ ସିନ୍ଦୂର ପାଇଁ ଭାରତୀୟ ସେନାକୁ ଉତ୍ସର୍ଗ କରାଯିବ ।
ବିସିିସିଆଇ ସଂପାଦକ ଦେବଜିତ ସାକିଆ କହିଛନ୍ତି, ଆଇପିଏଲ୍ ୨୦୨୫ର ଉଦଯାପନୀ ସମାରୋହରେ ଭାରତୀୟ ସେନାକୁ ସମ୍ମାନିତ କରାଯିବ । ଏହି ସମାରୋହ ପାଇଁ ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ଅନିଲ ଚୌହାନ, ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ ତ୍ରିପାଠୀ ଏବଂ ବାୟୁସେନା ମୁଖ୍ୟ ମାର୍ଶଲ ଏପି ସିଂଙ୍କୁ ନିମନ୍ତ୍ରଣ ପଠାଯାଇଛି ।
ଆଇପିଏଲ୍ ୨୦୨୫ର ଫାଇନାଲ୍ ମ୍ୟାଚ୍ ଜୁନ ୩ ତାରିଖ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ଉଦଯାପନୀ ସମାରୋହ ପାଇଁ ଲୋକପ୍ରିୟ ଗାୟକଙ୍କୁ ପ୍ରଦର୍ଶନ ପାଇଁ ଡକାଯାଇଛି । ଉଦଘାଟନୀ ସମାରୋହରେ ଶ୍ରେୟା ଘୋଷାଲ ଯେମିତି ସଙ୍ଗୀତ ପରିବେଷଣ ହୋଇଥିଲା, ଠିକ୍ ସେହିପରି ଉଦଯାପନୀ ସମାରୋହରେ ମଧ୍ୟ ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।
ବିସିସିଆଇ ପକ୍ଷରୁ ଭ ।ରତୀୟ ସେନାକୁ ପ୍ରଥମ ଥର ଏମିତି ସମ୍ମାନ ଦିଆଯାଉ ନାହିଁ । ୨୦୧୯ରେ ମଧ୍ୟ ଆଇପିଏଲର ଉଦଘାଟନୀ ସମାରୋହରେ ମିଲିଟାରୀ ବ୍ୟାଣ୍ଡ ପରଫାର୍ମ କରିଥିଲା । ଏହା ସହିତ ବିସିିସିଆଇ ସେନାର ପର୍ସନାଲ ୱେଲଫେୟାର ପାଇଁ ୧୦ କୋଟି ଟଙ୍କା ଦାନ କରିଥିଲା । ସେହି ସମୟରେ ଭାରତୀୟ ସେନା ଉପରେ ପୁଲୱାମା ହୋଇଥିଲା ଏବଂ ଏଥିରେ ୪୪ ଯବାନ ସହିଦ ହୋଇଥିଲେ ।