ନୂଆଦିଲ୍ଲୀ: ଆଜି ଆଇପିଏଲ୍ ୨୦୨୫ରେ ଶେଷ ଲିଗ୍ ମ୍ୟାଚ୍ ଖେଳାଯିବ । ଏଥିରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଲଖନଉ ସୁପର ଜାଏଣ୍ଟସ । ଆରସିବି ପୂର୍ବରୁ ପ୍ଲେ ଅଫରେ ପ୍ରବେଶ କରି ସାରିଥିବା ବେଳେ ଲଖନଉ ବାଦ୍ ପଡି ସାରିଛି । ପଞ୍ଜାବ କିଙ୍ଗ୍ସ ପ୍ରଥମ କ୍ୱାଲିଫାୟ ଖେଳିବା ସ୍ପଷ୍ଟ ହୋଇ ସାରିଛି । ଅନ୍ୟପଟେ ମୁମ୍ବାଇ ଇଣ୍ଡିଆନ୍ସକୁ ଏଲିମିନେଟର ଖେଳିବାକୁ ପଡିବ । ତେବେ ପ୍ରଥମ କ୍ୱାଲିଫାୟରରେ ପଞ୍ଜାବ ସହ କିଏ ଖେଳିବ ଏବଂ ଏଲିମିନେଟରରେ ମୁମ୍ବାଇ ଏବଂ କାହା ମଧ୍ୟରେ ମୁକାବିଲା ହେବ ତାହା ଆଜିର ଶେଷ ଲିଗ୍ ମ୍ୟାଚ୍ ପରେ ଚିତ୍ର ସ୍ପଷ୍ଟ ହୋଇଯିବ ।
ପଏଣ୍ଟ ଟେବୁଲରେ ପଞ୍ଜାବ ୧୯ ଅଙ୍କ ସହ ଶୀର୍ଷରେ ରହିଛି । ୧୮ ଅଙ୍କ ସହ ଗୁଜରାଟ ଦ୍ୱିତୀୟ ଏବଂ ବେଙ୍ଗାଲୁରୁ ୧୭ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛି । ମୁମ୍ବାଇ ୧୬ ପଏଣ୍ଟ ସହ ଚତୁର୍ଥରେ ରହିଛି । କିନ୍ତୁ ଆଜିର ମ୍ୟାଚରେ ବେଙ୍ଗାଲୁରୁ ଜିତିଲେ ଫାଇନାଲର ସବୁ ସମୀକରଣ ବଦଳି ଯାଇପାରେ ।ଯଦି ଆଜି ଆରସିବି ଏଲଏସଜିକୁ ବଡ ବ୍ୟବଧାନରେ ହରାଇବାରେ ସଫଳ ହୁଏ ତେବେ ଶୀର୍ଷକୁ ଉଠିବ । ଏମିତିରେ ପ୍ରଥମ କ୍ୱାଲିଫାର ମ୍ୟାଚରେ ବେଙ୍ଗାଲୁରୁ ଓ ପଞ୍ଜାବ ମୁହାଁମୁହିଁ ହେବେ ।
ଅନ୍ୟପଟେ ଏଲିମିନେଟର ମ୍ୟାଚରେ ମୁମ୍ବାଇ ଓ ଗୁଜରାଟ ମଧ୍ୟରେ ମୁକାବିଲା ହେବ । ଏମିତିରେ ଏଲିମିନେଟର ମୁକାବିଲାରୁ ବିଜେତା ଦଳ ପ୍ରଥମ କ୍ୱାଲିଫାୟରରେ ପରାଜିତ ଦଳ ସହ ମ୍ୟାଚ୍ ଖେଳିବ । ତେବେ ଆରସିବି ଆଜିର ମ୍ୟାଚ୍ ଜିତିଲେ ଜିଟିକୁ ବଡ ଝଟକା ଲାଗିବ । କାରଣ ଦଳ ଦ୍ୱିତୀୟରୁ ତୃତୀୟ ସ୍ଥାନକୁ ଖସି ଆସିବ ଏବଂ ଦଳକୁ ଏଲିମିନେଟର ଦେଇ ଗତି କରିବାକୁ ପଡିବ । ଯଦି ଆରସିବି ଆଜି ଏଲଏସଜିଠୁ ହାରେ ତେବେ ଜିଟି ଦ୍ୱିତୀୟ ସ୍ଥାନରେ ରହି ପ୍ରଥମ କ୍ୱାଲିଫାୟର ମ୍ୟାଚ ୍ ଖେଳିବ । ତେଣୁ ଜିଟି ପ୍ରାର୍ଥନା କରିବ ଯେ, ଆଜିର ମୁକାବିଲାରେ ଏଲଏସଜି ଜିତୁ । କାରଣ ଟପ୍-୨ରେ ରହିଲେ ଦଳକୁ ଫାଇନାଲକୁ ଯିବା ପାଇଁ ଦୁଇ ଥର ସୁଯୋଗ ମିଳିବ ।