ନୂଆଦିଲ୍ଲୀ: ଆଇପିଏଲ ୨୦୫ରେ ପ୍ରଥମ ୫ଟି ମ୍ୟାଚରୁ ୪ଟି ହାରିଥିବା ମୁମ୍ବାଇ ଇଣ୍ଡିଆନ୍ସ ଏବେ ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନକୁ ଉଠିବାର ଦ୍ୱାର ଖୋଲି ଯାଇଛି । ଶୁଣିବାକୁ ଏହା ଟିକେ ଅକଳ ଲାଗୁଥିଲେ ବି ଏହା ସତ । ଗତ ତିନୋଟି ମ୍ୟାଚରେ ଗୁଜରାଟ ଟାଇଟନ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ପଞ୍ଜାବ କିଙ୍ଗ୍ସ ହାରିବାରୁ ମୁମ୍ବାଇ ପାଇଁ ଏକ ନମ୍ବର ହେବାର ସମ୍ଭାବନା ବଢି ଯାଇଛି. ମୁମ୍ବାଇ ଲିଗ ପର୍ଯ୍ୟାୟର ଶେଷ ମ୍ୟାଚରେ ପଞ୍ଜାବ କିଙ୍ଗ୍ସକୁ ମେ ୨୬ରେ ଭେଟିବ । ମୁମ୍ବାଇକୁ ଯଦି ଟପ-୨ରେ ରହିବାର ଅଛି ତେବେ ପଞ୍ଜାବକୁ ନିଶ୍ଚିତ ହରାଇବାକୁ ପଡିବ । ଏହା ପରେ ଅନ୍ୟ ମ୍ୟାଚର ଫଳାଫଳ ଉପରେ ନିର୍ଭର ରହିବାକୁ ପଡିବ ।
ଦଳ ବର୍ତ୍ତମାନ ୧୩ଟି ମ୍ୟାଚରୁ ୮ଟି ଜିତି ୧୬ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି । ଯଦି ମୁମ୍ବାଇ ନିଜର ଶେଷ ଲିଗ୍ ମ୍ୟାଚ୍ ଜିତିଯାଏ ତେବେ ଦଳର ପଏଣ୍ଟ ୧୮ ହୋଇଯିବ । ପରାଜୟ ସହ ପଞ୍ଜାବ ମୁମ୍ବାଇଠୁ ପଛରେ ରହିଯିବ । କାରଣ ପଞ୍ଜାବ ଖାତାରେ ୧୭ ପଏଣ୍ଟ ରହିବ । ଏହା ପରେ ମୁମ୍ବାଇକୁ ଗୁଜରାଟ ଓ ବେଙ୍ଗାଲୁରୁର ପରାଜୟ କାମନା କରିବାକୁ ପଡିବ । ଯଦି ଗୁଜରାଟ ଓ ବେଙ୍ଗାଲୁରୁ ନିଜର ଶେଷର ମ୍ୟାଚ୍ ହାରି ଯାଆନ୍ତି ତେବେ ମୁମ୍ବାଇ ଶୀର୍ଷକୁ ଉଠିବ ।
ଗୁଜରାଟ ଓ ବେଙ୍ଗାଲୁରୁ ନିଜ ନିଜର ଶେଷ ମ୍ୟାଚ୍ ହାରିଲେ ମୁମ୍ବାଇ ଓ ଗୁଜରାଟର ସମାନ ୧୮ ଅଙ୍କ ରହିବ । କିନ୍ତୁ ଉନ୍ନତ ରନ ରେଟ୍ ଯୋଗୁଁ ମୁମ୍ବାଇ ପ୍ରଥମ ସ୍ଥାନରେ ରହିବ । ଆଜି ଗୁଜରାଟ ଟାଟଇନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ । ଯଦି ଗୁଜରାଟ ଏହି ମ୍ୟାଚ୍ ଜିତିଯାଏ ତଥାପି ମୁମ୍ବାଇ ପାଖରେ ଟପ-୨ରେ ରହିବାର ସୁଯୋଗ ରହିବ । ଏଥିପାଇଁ ମୁମ୍ବାଇକୁ ନିଜର ଶେଷ ମ୍ୟାଚ୍ ଜିତିବାକୁ ପଡିବ ଏବଂ ବେଙ୍ଗାଲୁରୁ ନିଜ ଶେଷ ମ୍ୟାଚରେ ପରାଜୟର ପ୍ରାର୍ଥନା କରିବାକୁ ପଡିବ । ଯଦି ଆରସିବି ନିଜର ଶେଷ ମ୍ୟାଚରେ ଏଲଏସଜିଠୁ ହାରେ ତେବେ ଦଳର ପଏଣ୍ଟ ୧୭ରେ ରହିବ । ମୁମ୍ବାଇ ୧୮ ପଏଣ୍ଟ ସହ ଟପ-୨ରେ ରହିବ ।