ନୂଆଦିଲ୍ଲୀ: ଭାରତୀୟ ପ୍ରତିଭୂମି ଓ ବିନିୟମ ବୋର୍ଡ(ସେବି)ର ପୂର୍ବତନ ଅଧ୍ୟକ୍ଷା ମାଧବୀ ବୁଚଙ୍କୁ ମିଳିଛି ବଡ ଆଶ୍ୱସ୍ତି । ଲୋକପାଳ କହିଛି ମାଧବୀ ବୁଚଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗ ଉପରେ କୌଣସି ପ୍ରମାଣ ମିଳିନାହିଁ । ଏହା ସହିତ ଲୋକପାଳ କହିଛନ୍ତି, ବୁଚଙ୍କ ବିରୋଧରେ ଅଭିଯୋଗ ସଂପୂର୍ଣ୍ଣ ଭାବେ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ।
ବିଚାରପତି ଏଏମ ଖାନୱିଲକରଙ୍କ ନେତୃତ୍ୱାଧୀନ ଛଅ ଜଣିଆ ପୀଠ ନିଜ ଆଦେଶରେ କହିଛନ୍ତି ଯେ, ବୁଚଙ୍କ ବିରୋଧରେ ଆସିଥିବା ଅଭିଯୋଗ କେବଳ ହିଣ୍ଡରନବର୍ଗର ରିପୋର୍ଟ ଉପରେ ଆଧାରିତ ଥିଲା । ତାହା ବାଦ୍ ଅନ୍ୟ କୌଣସି ଅଭିଯୋଗ ତାଙ୍କ ବିରୋଧରେ ହୋଇ ନ ଥିଲା । ଅଭିଯୋଗର ପାଟର୍ଣ୍ଣ ସମାନ ଥିଲା । ଲୋକପାଳ ବୁଚଙ୍କ ବିରୋଧରେ ହୋଇଥିବା ପାଞ୍ଚ ପ୍ରମୁଖ ଅଭିଯୋଗ ଉପରେ ତଦନ୍ତ କରିଛନ୍ତି ।
ବୁଚ ଓ ତାଙ୍କ ସ୍ୱାମୀ ଧବଲ ବୁଚ ଆଦାନୀ ଗ୍ରୁପରେ ନିବେଶ ସହ ଜଡିତ ଏକ ଫଣ୍ଡରେ ବଡ ଧରଣର ନିବେଶ କରିଥିଲେ । ଏହା ସହିତ ଏମ ଆଣ୍ଡ ଏମ ଓ ବ୍ଲାକଷ୍ଟୋନ ଇଙ୍କ ପରି ସଂସ୍ଥାକୁ ପରାମର୍ଶ ସେବା ଶୁଳ୍କ ଅଢୁଆଳରେ ମୋଟା ଅଙ୍କର ଅର୍ଥ ରାଶି ନେଣଦେଣ କରାଯାଉଥିଲା । ଏହା ବ୍ୟତୀତ ୨୦୧୭ରୁ ୨୦୨୪ ମଧ୍ୟରେ ପାଞ୍ଚ ବର୍ଷର ଅବଧିରେ ଆଇସିଆଇସିଆଇ ବ୍ୟାଙ୍କର ଇଏସପିଓ ବିକ୍ରି କରି ଅନୁଚିତ ଲାଭ ପାଇଥିବା ମାଧବୀ ବୁଚଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ତେବେ ଏସବୁ ଅଭିଯୋଗ ଉପରେ ଲୋକପାଳଙ୍କୁ କୌଣସି ପ୍ରମାଣ ମିଳି ନାହିଁ ।
ଏହା ପୂର୍ବରୁ ଗତ ଏପ୍ରିଲ ମାସରେ ମାଧବୀ ବୁଚଙ୍କୁ ବମ୍ବେ ହାଇକୋର୍ଟ ମଧ୍ୟ ଆଶ୍ୱସ୍ତି ଦେଇଥିଲେ । ଉଚ୍ଚ ନ୍ୟାୟାଳୟ କହିଥିଲେ ଯେ, ଅଭିଯୋଗରେ ମାଧବୀଙ୍କ ବିରୋଧରେ କୌଣସି ଭୂମିକା ଥିବା ଉଲ୍ଲେଖ କରାଯାଇ ନ ଥିଲା । ସ୍ୱତନ୍ତ୍ର ଅଦାଲତ ପକ୍ଷରୁ ବୁଚଙ୍କୁ ମିଳିଥିବା ଅନ୍ତରୀଣ ରୋକର ଅବଧିକୁ ହାଇକୋର୍ଟ ବଢାଇ ଦେଇଥିଲେ ।