ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଲମାନ ଖୁର୍ଶିଦ ମୋଦୀ ସରକାରଙ୍କ ଦ୍ୱାରା ଜମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦର ପ୍ରଶଂସା କରିଛନ୍ତି । ସର୍ବଦଳୀୟ ପ୍ରତିନିଧିମଣ୍ଡଳ ସହିତ ଜାକାର୍ତ୍ତା ପହଞ୍ଚିଥିବା ଖୁର୍ଶିଦ କହିଛନ୍ତି ୩୭୦ ହଟିବା ପରେ କାଶ୍ମୀରରେ ସମୃଦ୍ଧି ଫେରିଛି ଏବଂ ଗଣତାନ୍ତ୍ରିକ ପ୍ରଗତି ଘଟିଛି । ଅନୁଚ୍ଛେଦ ୩୭୦ ହଟିବା ପରେ ଏହି ଧାରଣା ଶେଷ ହୋଇଛି ଯେ, କାଶ୍ମୀର ଭାରତର ଅନ୍ୟ କ୍ଷେତ୍ରଠୁ ଅଲଗା ।
ଅପରେସନ ସିନ୍ଦୂର ଉପରେ ଭାରତର ପକ୍ଷ ରଖିବା ଓ ପାକିସ୍ତାନର ମୁଖା ଖୋଲିବା ପାଇଁ ସର୍ବଦଳୀୟ ପ୍ରତିନିଧିମଣ୍ଡଳରେ ସାମିଲ ସଲମା ଖୁର୍ଶିଦ ଇଣ୍ଡୋନେସିଆରେ ଲୋକଙ୍କ ସହିତ କଥା ହୋଇଛନ୍ତି । ଏହି ସମୟରେ ସେ କହିଛନ୍ତି, ଧାରା ୩୭୦ ଆଧାରରେ ଜମ୍ମୁ-କାଶ୍ମୀରକୁ ଦିଆଯାଇଥିବା ସ୍ୱତନ୍ତ୍ର ସାମ୍ବିଧାନିକ ମାନ୍ୟତା କାରଣରୁ ରାଜ୍ୟରେ ବିଚ୍ଛିନ୍ନତାର ଭାବନା ବଢୁଥିଲା । ଏହା ଏକ ବଡ ସମସ୍ୟା ଥିଲା । ଏହି କାରଣରୁ ସେଠାରେ ଏମିତି ଧାରଣା ରହି ଯାଇଥିଲା ଯେ, ଜମ୍ମୁ-କାଶ୍ମୀର ଭାରତର ବାକି ରାଜ୍ୟଠୁ ଭିନ୍ନ । ମାତ୍ର ଧାରା ୩୭୦ ଉଚ୍ଛେଦ ପରେ ଏହି ଧାରଣା ସମାପ୍ତ ହୋଇଛି ।
ଖୁର୍ଶିଦ କହିଛନ୍ତି, ଆଜି ରାଜ୍ୟରୁ ୩୭୦ ଧାରା ହଟିବା ପରେ ଗଣତାନ୍ତ୍ରିକ ପଦ୍ଧତି ମଜବୁତ ହୋଇଛି । ଲୋକେ ନିର୍ବାଚନରେ ଆଗକୁ ଆସି ବିପୁଳ ମତଦାନ କରିଛନ୍ତି । କେନ୍ଦ୍ର ଶାସିତ ଜମ୍ମୁ-କାଶ୍ମୀରରେ ଏକ ନବନିର୍ବାଚିତ ସରକାର ଗଠନ ହେଲା । ଏଥିରେ କାଶ୍ମୀର ମାଟିରେ ବିକାଶର ଧାରା ଆଗକୁ ବଢିଛି । ଦୁର୍ଭାଗ୍ୟରୁ କିଛି ଲୋକ ଏହାକୁ ପୁରୁଣା ସମୟକୁ ପୁଣି ଥରେ ନେଇ ଯିବାକୁ ଚାହାନ୍ତି । ମାତ୍ର ଆମେ ଏମିତି ହେବାକୁ ଦେବୁ ନାହିଁ ବୋଲି କଂଗ୍ରେସର ଏହି ବରିଷ୍ଠ ନେତା କହିଛନ୍ତି ।
ଖୁର୍ଶିଦ କହିଛନ୍ତି, କୌଣସି ବି ଦେଶ ନିଜ ଅଂଶକୁ ଛାଡେ ନାହିଁ । କୌଣସି ବି ପରିବାର ନିଜର କୌଣସି ସଦସ୍ୟକୁ ଅଲଗା କରେ ନାହିଁ । ଆଉ ଆମେ ଏହି ସନ୍ଦେଶ ନେଇ ଏଠାକୁ ଆସିଛୁ । କାଶ୍ମୀର ଆମର ଅବିଚ୍ଛେଦ୍ୟ ଅଙ୍ଗ । ଅପରେସନ ସିନ୍ଦୂର ପାକିସ୍ତାନକୁ ଏକ ଶିକ୍ଷା ଦେବା ପାଇଁ ଥିଲା । ଆମେ ପାକିସ୍ତାନର ହୀନ ଉଦ୍ଦେଶ୍ୟକୁ ସାକାର ହେବାକୁ ଦେବୁ ନାହିଁ । ମୋତେ ଲାଗୁଛି ଆମେ ନିଜର ସନ୍ଦେଶ ବେଶ ଭଲ ଭାବେ ପାକିସ୍ତାନକୁ ଦେଇ ଦେଉଛୁ ।