ଲଖନଉ: ବାହୁବଳୀ ମୁଖତାର ଅନସାରୀଙ୍କ ପୁଅ ତଥା ଭାରତୀୟ ସମାଜ ପାର୍ଟିର ମଉରୁ ବିଧାୟକ ଅବାସ ଅନସାରୀଙ୍କୁ କୋର୍ଟରୁ ଲାଗିଛି ବଡ ଝଟକା । ହେଟ୍ ସ୍ପିଚ ମାମଲାରେ ମଉର ସିଜେଏମ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଆଜି ଅପରାହ୍ଣରେ ଯେ କୌଣସି ସମୟରେ ତାଙ୍କୁ ସଜା ହୋଇପାରେ । ଏବେ ସଭିଙ୍କ ନଜର ଏହା ଉପରେ ଯେ, ଅବାସଙ୍କୁ କେତେ ବର୍ଷ ଦଣ୍ଡାଦେଶ ହୋଇପାରେ । ଯଦି ତାଙ୍କୁ ଦୁଇ ବର୍ଷରୁ ଅଧିକ ସଜା ମିଳେ ତେବେ ଏହାର ପ୍ରଭାବ ତାଙ୍କ ବିଧାୟକ ପଦ ଉପରେ ପଡିବ ।
ସୂଚନାଯୋଗ୍ୟ, ୨୦୨୨ ମାର୍ଚ୍ଚ ୩ରେ ବିଧାନସଭା ନିର୍ବାଚନ ସମୟରେ ମଉର ପାହାଡପୁରରେ ଏକ ଜନସଭାକୁ ସମ୍ବୋଧିତ କରି ଅବାସ ଅନସାରୀ ସରକାର ଗଠନ ହଲେେ ଅଫିସରଙ୍କୁ ଦେଖି ନେବେ ବୋଲି ଧମକ ଦେଇଥିଲେ । ଏହାକୁ ନେଇ ପୋଲିସ ଅବାସ ଅନସାରୀଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲା ।
ସିଜେଏମ ଡ.କେପି ସିଂଙ୍କ ଅଦାଲତ ଆଉ କିଛି ସମୟରେ ଦଣ୍ଡାଦେଶ ଶୁଣାଇବେ । ଅବାସ ଅନସାରୀଙ୍କ ବ୍ୟତୀତ ନିର୍ବାଚନ ଏଜେଣ୍ଟ ମନସୁର ଅନସାରୀଙ୍କ ବିରୋଧରେ ମଧ୍ୟ ଚାର୍ଜସିଟ୍ ଦାଖଲ ହୋଇଥିଲା । ଏହି ମୋକଦ୍ଦମା ଧାରା ୫୦୬, ୧୭୧ଏଫ, ୧୮୬, ୧୫୩ଏ ଓ ୧୨୦ ବି ଆଧାରର ରୁଜୁ ହୋଇଥିଲା । ଉଭୟ ପକ୍ଷର ସମସ୍ତ ତର୍କ ବିତର୍କ ଶୁଣିବା ପରେ ଆଜି କୋର୍ଟ ନିଜ ରାୟ ଦେବେ ।
ସୂଚନାଯୋଗ୍ୟ, ୨୦୨୨ ବିଧାନସଭା ନିର୍ବାଚନ ସମୟରେ ଅବାସ ଅନସାରୀ କହିଥିଲେ ଯେ, ନିର୍ବାଚନ ପରେ ଯଦି ସରକାର ଗଠନ ହୁଏ ତେବେ କୌଣସି ଅଧିକାରୀଙ୍କ ବଦଳି କରାଯିବ ନାହିଁ । ସେମାନଙ୍କୁ ଅଟକାଇ ହିସାବ କିତାବ ବରାବର କରାଯିବ । ଏହି ବୟାନ ପରେ ନିର୍ବାଚନ ଆୟୋଗ ଅବାସ ଅନସାରୀଙ୍କ ନିର୍ବାଚନ ପ୍ରଚାର ଉପରେ ୨୪ ଘଣ୍ଟା ରୋକ୍ ଲଗାଇଥିଲେ ।