ନୂଆଦିଲ୍ଲୀ: ଭାରତର ଚିଫ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ) ଜେନେରାଲ ଅନିଲ ଚୌହାନ ସିଙ୍ଗାପୁରରେ ଅନୁଷ୍ଠିତ ଶାଙ୍ଗରୀ ଲା ଡାଇଲଗ ୨୦୨୫ରେ ଯୋଗ ଦେଇ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଦକ୍ଷିଣ ଏସିଆରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ପାଇଁ ପାକିସ୍ତାନକୁ ମଧ୍ୟ ନିଜର ଦାୟିତ୍ୱ ନିଭାଇବାକୁ ପଡିବ । ଆଞ୍ଚଳିକ କ୍ଷେତ୍ରରେ ବଢୁଥିବା ସମସ୍ୟା ପାଇଁ ପାକିସ୍ତାନ ଦାୟୀ ବୋଲି ସେ କହିଛନ୍ତି ।
ସିଡିଏସ କହିଛନ୍ତି ତାଳି ଗୋଟିଏ ହାତରେ ବାଜେ ନାହିଁ । ପାକିସ୍ତାନକୁ ମଧ୍ୟ ସ୍ଥିରତା ପାଇଁ ପଦକ୍ଷେପ ନେବାକୁ ପଢିବ । ଜେନେରାଲ ଚୌହାନ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଅପରେସନ ସିନ୍ଦୂର ଏଥିପାଇଁ ଜରୁରୀ ଥିଲା କାରଣ ଆତଙ୍କବାଦ କାରଣରୁ ଭାରତର ସହିବାର ସୀମା ଟପି ସାରିଥିଲା ।
ଜେନେରାଲ ଚୌହାନ ସ୍ପଷ୍ଟ କରିଛନ୍ତି ଯେ, ଭାରତ ଅପରେସନ ସିନ୍ଦୂର ପରି ପଦକ୍ଷେପ ଏଥିପାଇଁ ଉଠାଇଲା କାରଣ ବରଦାସ୍ତର ସୀମା ପାର ହୋଇ ସାରିଥିଲା । ଗତ ଦୁଇ ଦଶନ୍ଧି ଧରି ପାକିସ୍ତାନ ପକ୍ଷରୁ ଜାରି ଆତଙ୍କବାଦ କାରଣରୁ ଭାରତୀୟ ନାଗରିକ ଓ ସୈନିକଙ୍କ ପ୍ରାଣହାନୀ ଘଟିଥିଲା । ଏବେ ଭାରତ ଆତଙ୍କବାଦ ବିରୋଧରେ ନୂଆ ଲକ୍ଷ୍ମଣ ରେଖା ଟାଣି ଦେଇଛି । ଯଦି ଏହି ଲକ୍ଷ୍ମଣ ରେଖା ପାର ହୁଏ ତେବେ ପୁଣି ଅପରେସନ ସିନ୍ଦୂର ଚଲାଯିବ । ତେଣୁ ପାକିସ୍ତାନକୁ ନିଜର ଆତଙ୍କବାଦ ନୀତି ବଦଳାଇବାକୁ ପଡିବ ।
ଅପରେସନ ସିନ୍ଦୂର ସମୟରେ ଭାରତ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ଓ ମିତ୍ର ଦେଶର ହତିଆର ଉପଯୋଗ କରି ପାକିସ୍ତାନରେ ୩୦୦ କିମି ଭିତରକୁ ପଶି ହମଲା କରିଥିଲା । ଏହା ଭାରତୀୟ ସୈନ୍ୟ କ୍ଷମତାର ପ୍ରଦର୍ଶନ ବୋଲି ଜେନେରାଲ ଚୌହାନ କହିଛନ୍ତି ।
ସେ କହିଛନ୍ତି, ଏହି ଅପରେସନରେ ସ୍ଥଳସେନା, ବାୟୁସେନା ଓ ନୌସେନା ମିଳିତ ଇଣ୍ଟେଲିଜେନ୍ସ,ଯୋଜନା ଓ ଲଜିଷ୍ଟିକର ବ୍ୟବହାର କରିଥିଲେ । ଅପରେସନ ସମୟରେ ହୋଇଥିବା ତ୍ରୁଟିରୁ ଉଚିତ୍ ଶିକ୍ଷା ନେଇ ଭାରତ ନିଜର ଥିଏଟର କମାଣ୍ଡ ପ୍ରସ୍ତୁତ କରିବ । ତେବେ ଏହାର ପ୍ରସ୍ତୁତି ପାଇଁ ସମୟ ସୀମା ବର୍ତ୍ତମାନ ସ୍ଥିର କରାଯାଇ ନାହିଁ ।