ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରୁ ଆସିଛି ଏକ ଅଭାବନୀୟ ଘଟଣା । ଜବାହାରଲାଲ ନେହରୁ ସରକାରୀ ଇଞ୍ଜିନିୟରିଂ କଲେଜର ଜଣେ ୨୦ ବର୍ଷୀୟ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ମିଳିଛି। କମ୍ପ୍ୟୁଟର ସାଇନ୍ସ ପଢୁଥିବା ଜଣେ ଛାତ୍ର ହଷ୍ଟେଲ ରୁମରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ପୋଲିସ ସେଇ ରୁମରୁ ଏକ ସୁଇସାଇଡ଼ ନୋଟ ମଧ୍ୟ ଜବତ କରିଛି, ଯେଉଁଥିରେ ସେ ଆତ୍ମହତ୍ୟାର କାରଣ ଲେଖିଛନ୍ତି । ଏଥିପାଇଁ ସେ ନିଜ ସହପାଠୀଙ୍କୁ ଦାୟୀ କରିଥିବା ଦେଖିବାକୁ ମିଳିଛି ।
ପୋଲିସର କହିବା ମୁତାବିକ, ମୃତ ଛାତ୍ରଙ୍କୁ କଲେଜର ଜଣେ ଛାତ୍ରୀ ହଇରାଣ କରୁଥିଲେ ଏବଂ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଉଥିଲେ । ଏହି ନୋଟ୍ ଆଧାରରେ ପୋଲିସ ସମ୍ପୃକ୍ତ ଛାତ୍ରୀଙ୍କ ଗିରଫ କରିଛି। ପୋଲିସ ଏହା ମଧ୍ୟ କହିଛି ଯେ ଫରେନସିକ୍ ଦଳ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରିଛି ଏବଂ ପୋଲିସ ଅଧିକ ଯାଞ୍ଚ ପାଇଁ ହଷ୍ଟେଲର ସିସିଟିଭି ଫୁଟେଜ୍ ମଧ୍ୟ ରଖିଛି ।
ପୋଲିସ କହିଛି ଯେ ଅଭିଯୁକ୍ତ ଛାତ୍ରୀଙ୍କୁ ସୁନ୍ଦର ନଗରର ଅତିରିକ୍ତ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରାଯାଇଥିଲା, ଯେଉଁଠାରୁ ତାଙ୍କୁ ୨ ଦିନିଆ ପୋଲିସ ହେପାଜତକୁ ପଠାଇ ଦିଆଯାଇଛି ।
ସେପଟେ ଆତ୍ମହତ୍ୟା କରିଥିବା ଛାତ୍ରଙ୍କ ମାଆ ପୋଲିସରେ ଏକ ଅଲଗା ଅଭିଯୋଗ ଦାଖଲ କରିଛନ୍ତି, ତାଙ୍କ ପୁଅକୁ ସେହି ଛାତ୍ରୀ ଜଣକ ବ୍ଲାକମେଲ୍ ଏବଂ ଚାପ ଦେଉଥିଲେ। ପୁଅର ମାଆ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ଝିଅଟି ତାଙ୍କ ପୁଅକୁ ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ କରୁଥିଲା ଏବଂ ତାଙ୍କ ପୁଅ ଆତ୍ମହତ୍ୟା ପୂର୍ବରୁ ତାଙ୍କୁ ଏହି କଥାଟି କହିଥିଲା।
ସେପଟେ ଏହି ଘଟଣାକୁ ନେଇ କଲେଜ ପରିଚାଳନାର ପ୍ରତିକ୍ରିୟା ବିଷୟରେ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି। କାରଣ ମେ ମାସ ଆରମ୍ଭରେ ତାଙ୍କ ପୁଅକୁ ହାଡଫୁଟି ହୋଇଥିବା ବେଳେ କଲେଜ ପରିଚାଳନା ଅବହେଳା କରିଥିଲା। ସେ କହିଥିଲେ ଯେ ସାହାଯ୍ୟ କରିବା ପରିବର୍ତ୍ତେ, କଲେଜ ତାଙ୍କୁ ହଷ୍ଟେଲ ଛାଡିବାକୁ କହିଥିଲା ଏବଂ ତାଙ୍କୁ ମେ ୪ ରୁ ୮ ପର୍ଯ୍ୟନ୍ତ ସୁନ୍ଦରନଗରର ଏକ ସରକାରୀ ବିଶ୍ରାମ ଗୃହରେ ରହିବାକୁ ବାଧ୍ୟ କରିଥିଲା।