ଭୋପାଳ: ପୁଣି ବିବାଦରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ମଙ୍ଗଳବାର ତାଙ୍କ ଭୋପାଳ ଗସ୍ତକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି। କଂଗ୍ରେସର ‘ସଂଗଠନ ସୃଜନ ଅଭିଯାନ’ ଶୁଭାରମ୍ଭ ଲାଗି ରାହୁଲ ଭୋପାଳ ଗସ୍ତ କରିଥିଲେ। ତେବେ ଏହି ଅବସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ରାହୁଲଙ୍କ ଜେଜେ ମା’ ଇନ୍ଦିରା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ରାହୁଲ ବି ପୁଷ୍ପାଞ୍ଜଳି ଦେଇ ଶଦ୍ଧାଞ୍ଜଳି ଜଣାଇଥିଲେ। କିନ୍ତୁ ପାଦରୁ ଜୋତା ଖୋଲି ନ ଥିଲେ। ଯାହାକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି। ବିଜେପି ରାହୁଲଙ୍କୁ କଡ଼ା ସମାଲୋଚନା କରିଛି।
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ କଡ଼ା ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, "ସେ ଏଠାକୁ ଆସିଛନ୍ତି, ଗଣତନ୍ତ୍ରରେ ସମସ୍ତଙ୍କର ଅଧିକାର ଅଛି। ସେ ତାଙ୍କ ଜେଜେମାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ କିନ୍ତୁ ସେ ତାଙ୍କ ଜୋତା କାଢ଼ି ନଥିଲେ। ମୁଁ ଏହାକୁ ପସନ୍ଦ କରେ ନାହିଁ। ଏହା ଆମର ସଂସ୍କାର ନୁହେଁ। ମୁଁ ମୋ ପକ୍ଷରୁ କହିବାକୁ ଚାହୁଁଛି ଯେ ଏହା ସଂସ୍କୃତି ଅନୁଯାୟୀ ନୁହେଁ। ରାଜନୈତିକ ଦୃଷ୍ଟିରୁ, ବିଜେପି ଏହାର ସଂସ୍କାର ସହିତ ଲୋକଙ୍କ ମଧ୍ୟରେ ନିଜର ପରିଚୟ ସୃଷ୍ଟି କରିଛି। ସେ ଏସବୁ ପ୍ରତି ଧ୍ୟାନ ଦେବା ଉଚିତ। "
ଏହି ପ୍ରସଙ୍ଗରେ ବିଜେପି ରାଜ୍ୟ ସଭାପତି ଭିଡି ଶର୍ମା କହିଛନ୍ତି, "ରାହୁଲ ଗାନ୍ଧୀ ଯେପରି ଜୋତା ପିନ୍ଧି ଏବଂ ଫୁଲ ଫିଙ୍ଗି ତାଙ୍କ ଜେଜେମା ଇନ୍ଦିରା ଗାନ୍ଧୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ, ସେଥିରୁ ତାଙ୍କର ଚିନ୍ତାଧାରା ଏବଂ ସଂସ୍କୃତି ସ୍ପଷ୍ଟ ଭାବରେ ଦେଖାଯାଉଛି। କଂଗ୍ରେସ ଏପରି ଜଣେ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ କରିବାର ସ୍ୱପ୍ନ ଦେଖୁଛି ଯାହାର ପୂର୍ବପୁରୁଷଙ୍କ ପ୍ରତି ସମ୍ମାନ ନାହିଁ ଏବଂ ଭାରତର ସଂସ୍କୃତି ବିଷୟରେ ସଚେତନ ନାହିଁ।"