ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାକୁ ଶକ୍ତି ଯୋଗାଉଥିବା ରାଫେଲ୍ ଯୁଦ୍ଧ ବିମାନ ଏଣିକି ଭାରତରେ ହିଁ ନିର୍ମାଣ ହେବ । ଟାଟା ଆଡଭାନ୍ସ ସିଷ୍ଟମ ଏହାକୁ ହାତକୁ ନେଇଛି । ଏ ନେଇ ରାଫେଲ୍ ତିଆରି କରୁଥିବା ଡସଲ୍ଟଟ ବିମାନ କମ୍ପାନୀ (Dassault Aviation) ଏବଂ ଟାଟା କମ୍ପାନୀ ମଧ୍ୟରେ ଚୁକ୍ତି ପତ୍ର ସ୍ୱାକ୍ଷରିତ ହୋଇଛି ।
ଚୁକ୍ତି ଅନୁଯାୟୀ ରାଫେଲର ଢାଞ୍ଚା ବା ମୁଖ୍ୟ ବଡି ପାର୍ଟ ଭାରତରେ ଟାଟା ନିର୍ମାଣ କରିବ । ପ୍ରଥମ ଥର ଏପରି ହେବାକୁ ଯାଉଛି ଯେ ଫ୍ରାନ୍ସ ବାହାରେ ରାଫେଲ୍ ନିର୍ମାଣ ହେବ । ଏହି ଚୁକ୍ତିନାମା ଦେଶର ମହାକାଶ ଉତ୍ପାଦନ କ୍ଷମତା ଏବଂ ବିଶ୍ୱ ଯୋଗାଣ ଶୃଙ୍ଖଳାକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପ୍ରମାଣିତ ହେବ ବୋଲି ଆଶା କରାଯାଉଛି । ଚୁକ୍ତି ମୁତାବକ ଟାଟା କମ୍ପାନୀ ହାଇଦ୍ରାବାଦରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ପ୍ଲାଣ୍ଟ୍ ସ୍ଥାପନ କରିବ । ଏହି ପ୍ଲାଣ୍ଟରେ ରାଫେଲର ମୁଖ୍ୟ ଢାଞ୍ଚା ପ୍ରସ୍ତୁତ କରାଯିବ । ୨୦୨୮ ସୁଦ୍ଧା ପ୍ରଥମ ଢାଞ୍ଚା କମ୍ପାନୀ ପ୍ରସ୍ତୁତ କରିବା ବୋଲି ଜଣାପଡ଼ିଛି ।
ଡସଲ୍ଟ ଆଭିଏସନ୍ର ଏରିକ୍ ଟ୍ରାପିଅର୍ କହିଛନ୍ତି, "ଏହି ପଦକ୍ଷେପ ଭାରତରେ ଆମର ଯୋଗାଣ ଶୃଙ୍ଖଳାକୁ ସୁଦୃଢ଼ କରିବା ପାଇଁ ଏକ ନିର୍ଣ୍ଣାୟକ ପଦକ୍ଷେପ । ଭାରତୀୟ ମହାକାଶ ଶିଳ୍ପ ସମେତ ଆମର ସ୍ଥାନୀୟ ଅଂଶୀଦାରଙ୍କ ବିସ୍ତାର ପାଇଁ ସେ ଧନ୍ୟବାଦ ଜଣାଇଛନ୍ତି । ଏହି ଯୋଗାଣ ରାଫେଲର ସଫଳତାକୁ ଉଚ୍ଚରେ ପହଁଚାଇବାରେ ବଡ଼ ଅବଦାନ ରଖିବ । ଏହା ଭାରତରେ ପ୍ରତିରକ୍ଷା ଉପକରଣ ନିର୍ମାଣ କରିବାର କ୍ଷମତା ବୃଦ୍ଧି କରିବ ଏବଂ ସ୍ଥାନୀୟ ଇଞ୍ଜିନିୟରମାନେ ବିଶ୍ୱସ୍ତରୀୟ ପ୍ରଯୁକ୍ତିବିଦ୍ୟା ଶିଖିବାର ସୁଯୋଗ ପାଇବେ ।
ସେହିପରି ଟାଟା ଆଡଭାନ୍ସଡ୍ ସିଷ୍ଟମ୍ସ ଲିମିଟେଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁକରଣ ସିଂହ କହିଛନ୍ତି, "ଏହି ଚୁକ୍ତି ଭାରତର ମହାକାଶ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହି ଚୁକ୍ତି ଦର୍ଶାଉଛି ଯେ ଭାରତର ପ୍ରଯୁକ୍ତିବିଦ୍ୟା ବିଶ୍ୱସ୍ତରୀୟ ପ୍ଲାଟଫର୍ମକୁ ସମର୍ଥନ କରିପାରିବ । ଟାଟା ଗ୍ରୁପ୍ ଏବଂ ଡସଲ୍ଟ ପୂର୍ବରୁ ରାଫେଲ୍ ଏବଂ ମିରେଜ୍ 2000 ଭଳି ବିମାନର ଅଂଶ ନିର୍ମାଣ ପାଇଁ ଏକାଠି କାମ କରୁଛନ୍ତି ।