ନୂଆଦିଲ୍ଲୀ: ଦୁନିଆର ସବୁଠୁ ବଡ ଧନୀ ବ୍ୟକ୍ତି ଏଲନ ମସ୍କଙ୍କୁ ଭାରତରେ ମିଳିଛି ବଡ ସଫଳତା । ମସ୍କଙ୍କ କମ୍ପାନି ଷ୍ଟାରଲିଙ୍କକୁ ଟେଲିକମ ମନ୍ତ୍ରଣାଳୟ ପକ୍ଷରୁ ଲାଇସେନ୍ସ ମିଳିଛି । ଲାଇସେନ୍ସ ମିଳିବା ସହିତ ସାଟେଲାଇଟ ଇଣ୍ଟରନେଟ୍ ଉପଲବ୍ଧ କରାଉଥିବା ଷ୍ଟାରଲିଙ୍କ ପାଇଁ ସବୁଠୁ ବଡ ବାଧା ଦୂର ହୋଇଛି । ଏହା ସହିତ କମ୍ପାନି ଭାରତରେ ନିଜର ସେବା ଲଞ୍ଚ କରିବାର ନିକଟତର ହୋଇଛି ।
ଡିପାର୍ଟମେଣ୍ଟ ଅପ ଟେଲିକମ୍ୟୁନିକେସନ(ଡିଓଟି)ରୁ ଲାଇସେନ୍ସ ପାଇବାରେ ଷ୍ଟାରଲିଙ୍କ ତୃତୀୟ କମ୍ପାନି ହୋଇଛି । ଏହା ପୂର୍ବରୁ ଏମିତି ଲାଇସେନ୍ସ ୱାନୱେବ ଓ ରିଲାଏନ୍ସ ଜିଓକୁ ମିଳି ସାରିଛି । ତେବେ ଷ୍ଟାରଲିଙ୍କ ଓ ଡିଓଟି ପକ୍ଷରୁ ଏ ନେଇ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । ଷ୍ଟାରଲିଙ୍କ ଭାରତରେ କମର୍ସିଆଲ ଅପରେଟ୍ ପାଇଁ ୨୦୨୨ରୁ ଲାଇସେନ୍ସ ଅପେକ୍ଷାରେ ଥିଲା । ମାତ୍ର ଅନ୍ତର୍ଜାତୀୟ ସୁରକ୍ଷା ସଂପର୍କିତ ଅନେକ କାରଣରୁ ଏଥିରେ ବିଳମ୍ବ ଘଟିଥିଲା । ଆମାଜନର କୁଇପର ମଧ୍ୟ ଭାରତରେ ଲାଇସେନ୍ସ ପାଇବା ପାଇଁ ଅପେକ୍ଷକ୍ଷାରେ ରହିଛି ।
ଡିପାର୍ଟମେଣ୍ଟ ଅଫ ଟେଲିକମ୍ୟୁନିକେସନ ଏଲନ ମସ୍କଙ୍କ କମ୍ପାନିକୁ ଗ୍ଲୋବାଲ ମୋବାଇଲ ପର୍ସନାଲ କମ୍ୟୁନିକେସନ ବାୟ ସାଟେଲାଇଟ ପରମିଟ୍ ଜାରି କରିଛି । ଏହା ସହିତ ଆଗାମୀ ଦିନରେ କମ୍ପାନିକୁ ଟ୍ରାଏଲ ସ୍ପେକ୍ଟ୍ରମ ମଧ୍ୟ ଜାରି କରାଯିବ । ସ୍ପେକ୍ଟ୍ରମ ଆବଣ୍ଟନ ହେବା ପରେ କମ୍ପାନିକୁ ସିକ୍ୟୁରିଟି ସର୍ତ୍ତ ସହ ସମସ୍ତ ବିଲ୍ ସରକାରଙ୍କୁ ପୈଠ କରିବାକୁ ପଡିବ । କେବଳ ଏତିକି ନୁହେଁ ଷ୍ଟାରଲିଙ୍କକୁ ସ୍ପେସ ରେଗୁଲେଟର ଇଣ୍ଡିଆନ ନ୍ୟାସନାଲ ସ୍ପେସ ପ୍ରମୋଶନ ଆଣ୍ଡ ଅଥରାଇଜେସନ ସେଣ୍ଟ(ଇନ ସ୍ପେସ)ର ମଞ୍ଜୁରୀ ନେବାକୁ ପଡିବ ।