ମୁମ୍ବାଇ: ବଲିଉଡର ଲୋକପ୍ରିୟ ଷ୍ଟାର ଡିନୋ ମୋରିଆଙ୍କ ଘରେ ଇଡିର ଚଢାଉ। ହାଉସଫୁଲ୍ ୫ର ଏହି ଅଭିନେତା ଜଣକ ମିଠି ନଦୀ ଦୁର୍ନୀତି ମାମଲାରେ ଛନ୍ଦି ହୋଇଛନ୍ତି। ଅଭିନେତା ଡିନୋ ମୋରିଆଙ୍କ ସହ ଶିବସେନା ୟୁବିଟି ନେତା ଆଦିତ୍ୟ ଠାକରେଙ୍କ ରହିଛି ଘନିଷ୍ଠତା । ତେବେ ପୂର୍ବରୁ ତାଙ୍କୁ ୨ରୁ ୩ ଥର ଜେରା କରାଯାଇଥିବା ବେଳେ ଆଜି(ଶୁକ୍ରବାର) ତାଙ୍କୁ ଇଡ଼ି କାର୍ଯ୍ୟାଳୟକୁ ଡକାଇଥିଲେ। ଏଥିସହ ତାଙ୍କ ବାସଭବନ ସମେତ ଏକକାଳୀନ ୧୫ଟି ସ୍ଥାନରେ ଚଢାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।
ଯେବେଠାରୁ ମିଠି ନଦୀ ପଙ୍କ ଅପସାରଣ ଦୁର୍ନୀତିର ତଦନ୍ତ ତୀବ୍ର ହୋଇଛି, ଡିନୋ ମୋରିଆଙ୍କ ସମସ୍ୟା ବଢିଚାଲିଛି। ମିଠି ନଦୀ ଦୁର୍ନୀତିରେ ବିଏମସି ୬୫ କୋଟି ଟଙ୍କାର କ୍ଷତି ସହିଥିବା ଅଭିଯୋଗ ହୋଇଛି। ଅଭିନେତା ଜଣକ ଏହି ୬୫ କୋଟି ଟଙ୍କାର ସ୍କାମରେ ସାମିଲ ଥିବା ନେଇ ଅଭିଯୋଗ ହେବା ପରେ ଏହି ରେଡ କରାଯାଇଛି। ଏକକାଳୀନ ମୁମ୍ବାଇ ଓ କେରଳର ୧୫ଟି ସ୍ଥାନରେ ହୋଇଛି ରେଡ। ଏହା ସହ ବିଏମସିର ସହକାରୀ ଇଞ୍ଜିନିୟର ପ୍ରଶାନ୍ତ ରାମୁଗାଡେ ଓ କିଛି କଣ୍ଟ୍ରାକ୍ଟରଙ୍କ ଘରେ ବି ଚଢାଉ ହୋଇଛି।
ମନି ଲଣ୍ଡରିଂ ନିବାରଣ ଆଇନ (PMLA) ର ବ୍ୟବସ୍ଥା ଅନୁଯାୟୀ ED ଏହି ଚଢାଉ କରିଛି। ଆପଣଙ୍କୁ କହିରଖୁଛୁ ଯେ, ପୂର୍ବରୁ EOW ମିଠି ନଦୀ ଦୁର୍ନୀତି ମାମଲାରେ BMC ଅଧିକାରୀ ଏବଂ ଠିକାଦାରଙ୍କ ସମେତ ୧୩ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ମିଠି ନଦୀ ଦୁର୍ନୀତି ମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନ୍ ଦ୍ୱାରା ମିଠି ନଦୀ ସଫା କରିବାରେ ବ୍ୟବହୃତ ସ୍ଲଜ୍ ପୁସର୍ ଏବଂ ଡ୍ରେଜିଂ ମେସିନ୍ କ୍ରୟ ଏବଂ ବିକ୍ରୟ ସହିତ ଜଡିତ। ଯାହାଦ୍ୱାରା ବୃହନ୍ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (BMC) ବିପୁଳ କ୍ଷତି ସହିଥିଲା। ମୁମ୍ବାଇ ଦେଇ ପ୍ରବାହିତ ହୋଇ ଆରବ ସାଗରରେ ପଡ଼ିଥିବା ମିଠି ନଦୀ ଦୀର୍ଘ ସମୟ ଧରି ପୋତି ଏବଂ ବନ୍ୟା ସମସ୍ୟା ସହିତ ସଂଘର୍ଷ କରିଆସୁଛି।