ବେଙ୍ଗାଲୁରୁ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ୍ ୨୦୨୫ର ଟ୍ରଫି ଜିତି ଦୀର୍ଘ ୧୮ ବର୍ଷ ମରୁଡିର ଅନ୍ତ ଘଟାଇଛି । ଆଇପିଏଲ ଇତିହାସରେ ବେଙ୍ଗାଲୁରୁ ପ୍ରଥମ ଟାଇଟଲ ଜିତିବା ପରେ ଦଳ ଉତ୍ସବରେ ଡୁବି ରହିଥିଲା । ହେଲେ ଦଳର ଖୁସିରେ ଲାଗିଗଲା ରକ୍ତର ଛିଟା । ବିଜୟ ଉତ୍ସବ ପାଳନ ସମୟରେ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଘଟିଥିବା ଭୟଙ୍କର ଦଳାଚକଟାରେ ୧୧ ଜଣଙ୍କ ଜୀବନ ଚାଲି ଯାଇଛି । ଆରସିବିର ଆରମ୍ଭ ହୋଇଥିବା ଭିକ୍ଟ୍ରି ପରେଡ ବେ ଙ୍ଗାଲୁରୁର ବିଧାନସଭାରୁ ଆରମ୍ଭ ହୋଇ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମ ପର୍ଯ୍ୟନ୍ତ ଚାଲିଥିଲା । ଏହି ଭିକ୍ଟ୍ରି ପରେଡରେ ସାମିଲ ହେବା ପାଇଁ ଲକ୍ଷାଧିକ ଆରସିବି ପ୍ରଶଂସକ ସଡକକୁ ଓହ୍ଲାଇ ଆସିଲେ । ଆଉ ପରିଣାମ ଏବେ ସଭିଙ୍କ ସାମ୍ନାରେ । ଗୋଟିଏ ପଟେ ଲୋକ ମରି ଚାଲିଥିଲା ବେଳେ ଅନ୍ୟପଟେ ଷ୍ଟାଡିୟମ ଭିତରେ ଉତ୍ସବ ଜାରି ରହିଥିଲା । ଏହି ସମୟରେ ବିରାଟ କୋହଲି ଓ ଆରସିବି ଅଧିନାୟକ ଷ୍ଟାଡିୟମରେ ଉପସ୍ଥିତ ପ୍ରଶଂସକଙ୍କୁ ସମ୍ବୋଧିତ କରୁଥିଲେ ।
ଆରସିବିର ଭିକ୍ଟ୍ରି ଶୋ ସମୟରେ ହୋଇଥିବା ଦଳା ଚକଟା ପରେ ପ୍ରଶାସନ ଅନେକ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ କମିଶନର ସମେତ ଅନେକ ବରିଷ୍ଠ ପୋଲିସ ଅଧିକାରୀ ନିଲମ୍ବିତ ହୋଇ ସାରିଛନ୍ତି । ଆରସିବି ଓ ଆୟୋଜନର ପ୍ରବନ୍ଧନ କରିଥିବା କମ୍ପାନି ଡିଏନଏ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ ଲିମିଟେଡର ଅଧିକାରୀଙ୍କୁ ଶୁକ୍ରବାର ପୋଲିସ ଅଟକ ରଖିଛି । ଏଥିରେ ଆରସିବିର ବିପଣନ ଏବଂ ରାଜସ୍ୱ ପ୍ରମୁଖ ନିଖିଲ ସୋସଲେ ମଧ୍ୟ ସାମିଲ । ଏହି ସବୁ କାର୍ଯ୍ୟାନୁଷ୍ଠାନ ମଧ୍ୟରେ ଏବେ ସୋସିଆଲ ମିଡିଆରେ ବିରାଟ କୋହଲିଙ୍କୁ ଗିରଫ କରାଯାଉ ବୋଲି ଦାବି ଉଠିବାରେ ଲାଗିଛି ।
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ #Arrestkohli ଟ୍ରେଣ୍ଡ ହେବାରେ ଲାଗିଛି । ଏଥିରେ ଅନେକ ୟୁଜର୍ସ ଭୟଙ୍କର ଦଳାଚକଟା ଘଟଣାରେ କୋହଲିଙ୍କ ସମାଲୋଚନା କରିଛନ୍ତି । ୟୁଜର୍ସଙ୍କ ଗୋଟିଏ ବର୍ଗଙ୍କ କହିବା କଥା କୋହଲି ସହିତ ଆରସିବିର ଖେଳାଳିଙ୍କୁ ଏହି ଘଟଣା ପାଇଁ ଦାୟୀ କରାଯିବା ଉଚିତ୍ । ଆଉ ଏକ ପ୍ରଶ୍ନ ଉଠୁଛି ପୂର୍ବତନ ଭାରତୀୟ ଅଧିନାୟକଙ୍କ ଲଣ୍ଡନ ଯିବା ପାଇଁ ଏତେ ବ୍ୟଗ୍ର କାହିଁକି । ଏହି ସମୟରେ ପୀଡିତ ପରିବାରଙ୍କୁ ଭେଟି ସାନ୍ତ୍ୱନା ଦେଇ ପାରିଥାନ୍ତେ ।
ଅନ୍ୟପଟେ ଗୁରୁବାର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଦଳାଚକଟା ପାଇଁ ଦାୟୀ ପୋଲିସ ଅଧିକାରୀଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ସସପେଣ୍ଡ କରିଛନ୍ତି। ନିଲମ୍ବିତ ଅଧିକାରୀଙ୍କ ମଧ୍ୟରେ ପୋଲିସ କମିଶନର ସମେତ ଅନେକ ବଡ଼ ଅଧିକାରୀ ସାମିଲ୍। କେବଳ ଏତିକି ନୁହେଁ ଘଟଣାର ତଦନ୍ତ ପାଇଁ ଆୟୋଗ ଗଠନର ଘୋଷଣା କରିଛନ୍ତି।
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି, କ୍ୟୁବନ ପାର୍କ ପୋଲିସ ଷ୍ଟେସନର ପୋଲିସ ଇନ୍ସପେକ୍ଟର, ଷ୍ଟେସନ ହାଉସ ମାଷ୍ଟର, ଷ୍ଟେସନ ହାଉସ ଅଫିସର, ଏସିପି, ସେଣ୍ଟ୍ରାଲ ଡିଭିଜନ ଡିସିପି, କ୍ରିକେଟ ଷ୍ଟାଡିୟମ ଇନଚାର୍ଜ, ଅତିରିକ୍ତ ପୋଲିସ କମିଶନର, ପୋଲିସ କମିଶନରଙ୍କୁ ତୁରନ୍ତ ପ୍ରଭାବରୁ ନିଲମ୍ବିତ କରାଯାଇଛି।