କେନ୍ଦ୍ରାପଡା: ଡେରାବିଶ ଥାନା ଅଞ୍ଚଳରେ ଜଣେ ଶ୍ରମିକଙ୍କ ମୄତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସହକର୍ମୀମାନେ ଲେବର କ୍ୟାମ୍ପରେ ହୋହାଲ୍ଲା କରୁଛନ୍ତି । ମୃତକ ଝାଡ଼ଖଣ୍ଡ ହଜାରିବାଗ୍ ର ରାଜିୟୁ ୱାଲହା ।
ସୂଚନା ଅନୁସାରେ, ଗୁରୁବାର କାମ କରୁଥିବା ସମୟରେ ଶ୍ରମିକ ରାଜିୟୁ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର ପାଇଁ କୁହାଯାଇଥିଲା । ଗୁରୁବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ମୃତ ଶ୍ରମିକ ଜଣକ ଯେଉଁ ଠିକା ସଂସ୍ଥା ପକ୍ଷରୁ କାମ କରୁଥିଲେ ତାହାର କୌଣସି ହସ୍ତକ୍ଷେପ ନ ଥିବାରୁ ସହକର୍ମୀମାନେ କ୍ଷତିପୂରଣ ଦାବିରେ ଲେବର କ୍ୟାମ୍ପରେ ଉତ୍ତେଜନା ପ୍ରକାଶ କରିଥିଲେ । ତେବେଏନେଇ ଠିକା ସଂସ୍ଥା ମାନବ ସମ୍ବଳ ଅଧିକାରୀ ମୃତ ରାଜିୟୁଙ୍କ ପରିବାର ପହଞ୍ଚିବା ପରେ ଆଲୋଚନା କରିଥିଲେ । କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ମୃତ ରାଜିୟୁଙ୍କ ମୃତଦେହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପାଇଁ ରଖାଯାଇଥିଲା ।