ଗଞ୍ଜାମ: ରାଜ୍ୟରେ ବିଭିନ୍ନ ସ୍ଥାନରେ ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଟ୍ୟାଙ୍କର ଧକ୍କାରେ ମାମୁଁ ସମେତ ୨ ଭାଣିଜୀଙ୍କର ମୃତ୍ୟୁ ହୋଇଛି । ଅନ୍ୟପକ୍ଷରେ ଝାରସୁଗୁଡ଼ାରେ ବସ୍ ଏବଂ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣ ପ୍ରାଣ ହରାଇଛି । ସେହିପରି କୋରାପୁଟ ବୈପାରୀଗୁଡ଼ାରେ ଏକ ଗଛରେ ପିଟି ହେବା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଆଜି ଅପରାହ୍ନରେ ଏକ ବୁଲେଟରେ ମାମୁଁ ଏବଂ ତାଙ୍କର ଦୁଇ ଭାଣିଜୀ ଯାଉଥଇବା ସମୟରେ ବ୍ରହ୍ମପୁର-ଦିଗପହଣ୍ଡି ମୁଖ୍ୟ ରାସ୍ତାରେ ଏକ ଟ୍ୟାଙ୍କର୍ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ସମସ୍ତ ବାଇକ ଆରୋହୀ ରାସ୍ତା ଉପରେ ଛିଟିକି ପଡ଼ିଥିଲେ । ଫଳରେ ତିନି ଜଣଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଦିଗପହଣ୍ଡି ଏନ୍ଏସି ଗେଟ୍ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ପରିଚୟ ମିଳିପାରି ନାହିଁ ।
ସେହିପରି ଝାରସୁଗୁଡ଼ା କୁଚିଣ୍ଡା-ସିରିଆପାଲି ରାସ୍ତାରେ ଏକ ବସ୍ ଏବଂ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଦୁଇ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି ।
ସେପଟେ କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ କାଦଆମ୍ବ ଛକରେ ଏକ ବାଇକ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଛି । ଫଳରେ ଦୁଇ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛନ୍ତି । ମୃତକମାନେ ହେଲେ ଅମିନ ସାନ୍ତା ଓ ଜିତୁ ଖିଲ । କାଦଆମ୍ବ ଗାଁରେ ଭୋଜି ଖାଇବା ପାଇଁ ଜିତୁ ଓ ତାଙ୍କ ୨ ସମ୍ପର୍କୀୟ ଗୋଟିଏ ବାଇକ୍ରେ ଆସୁଥିଲେ । ଏହି ସମୟରେ ବୁଲାଣି ରାସ୍ତାରେ ବାଇକଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା । ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଜିତୁ ଖିଲଙ୍କର ମୃତ୍ୟୁ ହୋଇଥିବାବେଳେ ଅମିନଙ୍କ କୋରାପୁଟ ମେଡିକାଲରେ ଚିକିତ୍ସା ସମୟରେ ମୃତ୍ୟୁ ହୋଇଛି । ଗୁରୁତରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।