ଜମ୍ମୁ: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁ କାଶ୍ମୀରର କଟରାରେ ଏକ ସମାବେଶକୁ ସମ୍ବୋଧିତ କରିବା ବେଳେ ମେ ୬ ତାରିଖ କଥାକୁ ମନେପକାଇଛନ୍ତି। ପହଲଗାମ ଆକ୍ରମଣ ପରେ ଏହା ମୋଦିଙ୍କ ପ୍ରଥମ କାଶ୍ମୀର ଗସ୍ତ ହୋଇଥିବା ସେଠାରୁ ପାକିସ୍ତାନକୁ ଟାଗେର୍ଟ କରି ବର୍ଷିଥିଲେ ମୋଦୀ। ଅପରେସନ୍ ସିନ୍ଦୂରକୁ ଆଜି ମାସେ ପୂରିଛି। ଆଜିକୁ ଠିକ୍ ମାସକ ତଳେ ମେ ୬ ତାରିଖ ମଧ୍ୟରାତିରେ ପାକିସ୍ତାନର ନିଦ ହଜାଇଥିଲା ଭାରତ। ପହଲଗାମ୍ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ପାକିସ୍ତାନରେ ଲୁଚିଥିବା ୯ଟି ଆତଙ୍କବାଦୀ ଶିବିର ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା ଭାରତ।ଯେତେବେଳେ ପାକିସ୍ତାନ ‘ଅପରେସନ୍ ସିନ୍ଦୂର’ ଶୁଣିବ, ସେତେବେଳେ ଏହା ଲଜ୍ଜାଜନକ ପରାଜୟକୁ ମନେ ପକାଇବ। ପାକିସ୍ତାନୀ ସେନା ଏବଂ ଆତଙ୍କବାଦୀମାନେ କେବେ ଭାବି ନଥିବେ ଯେ ଭାରତ ସେମାନଙ୍କ ଅଞ୍ଚଳ ଭିତରେ ଏତେ ଗଭୀରରେ ଆକ୍ରମଣ କରିବ। ସେମାନଙ୍କର ଆତଙ୍କୀ ଭିତ୍ତିଭୂମି କିଛି ମିନିଟ୍ ମଧ୍ୟରେ ଧ୍ୱଂସାବଶେଷରେ ପରିଣତ ହୋଇଗଲା,” ବୋଲି ମୋଦି କହିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ପାକିସ୍ତାନର ଉଦ୍ଦେଶ୍ୟ ଥିଲା ଭାରତରେ ଅଶାନ୍ତି ପ୍ରସାର କରିବା ଏବଂ ଦଙ୍ଗା ସୃଷ୍ଟି କରିବା। ଏହା ଦେଶର ପର୍ଯ୍ୟଟନ ଶିଳ୍ପକୁ ଦୁର୍ବଳ କରିବାକୁ ଚାହୁଁଛି, ଯାହା ଦ୍ୱାରା ଜମ୍ମୁ ଏବଂ କାଶ୍ମୀରର ଗରିବ ଲୋକଙ୍କ ଜୀବନଜୀବିକା ପ୍ରଭାବିତ ହୁଏ । ଆତଙ୍କବାଦୀମାନେ ଆଦିଲ ନାମକ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କୁ ମଧ୍ୟ ହତ୍ୟା କରିଥିଲେ, ଯିଏ ତାଙ୍କ ପରିବାର ପାଇଁ କଠିନ ପରିଶ୍ରମ କରୁଥିଲେ। ଏହା ପ୍ରମାଣ ଯେ ଆତଙ୍କବାଦ କେବଳ ନିର୍ଦ୍ଦୋଷଙ୍କୁ ଟାର୍ଗେଟ କରେ ।
ପ୍ରଧାନମନ୍ତ୍ରୀ ଆହୁରି ବି କହିଛନ୍ତି ଯେ ଏବେ ଜମ୍ମୁ-କାଶ୍ମୀରର ଲୋକମାନେ ପାକିସ୍ତାନର ଏହି ଷଡ଼ଯନ୍ତ୍ର ବିରୋଧରେ ଏକଜୁଟ ହୋଇଛନ୍ତି । ଉପତ୍ୟକାବାସୀ ଆତଙ୍କବାଦକୁ ଉଚିତ ଜବାବ ଦେବାକୁ ସଂକଳ୍ପ ନେଇଛନ୍ତି। କେବଳ ଏତିକି ନୁହେଁ, ଆତଙ୍କବାଦୀମାନେ ଏଠାରେ ସ୍କୁଲଗୁଡ଼ିକୁ ମଧ୍ୟ ପୋଡ଼ି ଦେଇଥିଲେ, କିନ୍ତୁ ଏବେ ଜନସାଧାରଣ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ଯେ ସେମାନେ ଘୃଣାର ଏଜେଣ୍ଡାକୁ ଗ୍ରହଣ କରିବେ ନାହିଁ । ପ୍ରଧାନମନ୍ତ୍ରୀ ମୋଦୀ ଏହା ମଧ୍ୟ ପୁନରାବୃତ୍ତି କରିଛନ୍ତି ଯେ ତାଙ୍କ ସରକାର ପ୍ରତ୍ୟେକ ପ୍ରକାରର ଆତଙ୍କବାଦର ନିର୍ଣ୍ଣାୟକ ଜବାବ ଦେବ ଏବଂ ଜମ୍ମୁ-କାଶ୍ମୀରକୁ ବିକାଶ ଏବଂ ଶାନ୍ତିର ନୂତନ ଶିଖରରେ ପହଞ୍ଚାଇବ।