ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର କଟରାରେ ବନ୍ଦେ ଭାରତ ଏକ୍ସପ୍ରେସର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । କାର୍ଯ୍ୟକ୍ରମରେ ଜମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଉପସ୍ଥିତ ଥିଲେ । ଏହି ସମୟରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛନ୍ତି ଏବଂ କହିଛନ୍ତି ଯେ, ମୋର ତ ଡିମୋଶନ ହୋଇଗଲା ।
ଅବଦୁଲ୍ଲା କହିଛନ୍ତି, ମୋର ସୌଭାଗ୍ୟ ଗତ ୧୧ ବର୍ଷରେ ଜମ୍ମୁ-କାଶ୍ମୀର ପାଇଁ ଯେଉଁ ରେଳ ପ୍ରୋଜେକ୍ଟ ଆରମ୍ଭ ହୋଇଛି, ସେ ସବୁର ଶୁଭାରମ୍ଭ ଉପଲକ୍ଷେ ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଉପସ୍ଥିତ ରହିଛି । ପ୍ରଥମ କାର୍ଯ୍ୟକ୍ରମ ଅନନ୍ତନାଗ ରେଳ ଷ୍ଟେସନର ଉଦଘାଟନ ଥିଲା । ପୁଣି ଦ୍ୱିତୀୟ କାର୍ଯ୍ୟକ୍ରମ ବନିହାଲ ଟନେଲର ଉଦଘାଟନ । ଅବଦୁଲ୍ଲା କହିଛନ୍ତି, ମୋର ମନେ ଅଛି ୨୦୧୪ରେ କଟରା ରେଳ ଷ୍ଟେସନର ଉଦଘାଟନ ସମୟରେ ମଧ୍ୟ ମୁଁ ଉପସ୍ଥିତ ଥିଲି । ଆଜି ମଞ୍ଚରେ ବସିଥିବା ସମସ୍ତ ୪ ବ୍ୟକ୍ତି ସେହି ଦିନ ମଧ୍ୟ ଉପସ୍ଥିତ ଥିଲେ । ସେହି ସମୟରେ ମନୋଜ ସିହ୍ନା ରେଳ ରାଷ୍ଟ୍ରମନ୍ତ୍ରୀ ଥିଲେ । ଏବେ ତାଙ୍କର ପଦନ୍ନୋତି ଘଟି ଜମ୍ମୁ-କାଶ୍ମୀରର ଉପରାଜ୍ୟପାଳ ହୋଇଛନ୍ତି ।
ସେ କହିଛନ୍ତି କିନ୍ତୁ ମୋର ଡିମୋଶନ ହୋଇଗଲା । ସେ ସମୟରେ ମୁଁ ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲି, କିନ୍ତୁ ଆଜି କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ । ଏହି ସମୟରେ ସେ ଇସାରାରେ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ଉଠାଇଛନ୍ତି । ସେ କହିଛନ୍ତି, ସବୁ କିଛି ଶୀଘ୍ର ସ୍ୱାଭାବିକ ହୋଇଯିବ । ମୁଁ ଆଶା କରୁଛି ପିଏମ ମୋଦୀ ଶୀଘ୍ର ଜମ୍ମୁ-କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ପ୍ରଦାନ କରିବେ । ଆମ ପାଇଁ ଆଜି ଏକ ଏତିହାସିକ ଦିନ । ଜମ୍ମୁ-କାଶ୍ମୀର ବିକାଶର ଆଉ ଏକ ପାହାଚ ଉଠିଛି । ଏହି ବିକାଶ ଏଥିପାଇଁ ସମ୍ଭବ ହୋଇ ପାରିଛି, କାରଣ ପ୍ରଧାନମନ୍ତ୍ରୀ ମୋଦୀ ଖୋଦ୍ ସକ୍ରିୟ ରହିଲେ ଏବଂ ରାଜ୍ୟର ବିକାଶ କାର୍ଯ୍ୟର ଅପଡେଟ୍ ନେଇ ଚାଲିଲେ ।
ଏହି ଅବସରରେ ଉମର ଅବଦୁଲ୍ଲା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ମନେ ପକାଇଛନ୍ତି । ସେ କହିଛନ୍ତି, ଯଦି ବାଜପେୟୀଙ୍କୁ ଏମିତି ସମୟରେ ମନେ ନ ପକାଇବା ତେବେ ଅନ୍ୟାୟ ହୋଇଯିବ । ଅଟଳ ବିହାରୀ ବାଜପେୟୀ କାଶ୍ମୀର ପାଇଁ ଟ୍ରେନକୁ ଜାତୀୟ ମହତ୍ୱର ପ୍ରକଳ୍ପ ବୋଲି କହିଥିଲେ ।