ଅଯୋଧ୍ୟାସ୍ଥିତ ଶ୍ରୀରାମଙ୍କ ଜନ୍ମଭୂମିରେ ରାମ ଦରବାରର ଦ୍ଵି୍ତୀୟ ପ୍ରାଣ ପ୍ରତିଷ୍ଠା ଉତ୍ସବ ଭବ୍ୟ ସମାରୋହରେ କରାଯାଇଛି। ଶ୍ରୀରାମଙ୍କ ସହିତ ମାତା ସୀତା, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ ଏବଂ ଭକ୍ତ ପ୍ରଭୁ ହନୁମାନ ମଧ୍ୟ ଅଛନ୍ତି। ଏହି ଅବସରରେ ରାମ ମନ୍ଦିରର ସମ୍ପୂର୍ଣ୍ଣ ପରିସର ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହେବା ସହିତ ସମ୍ପୂର୍ଣ୍ଣ ପରିବେଶ ରାମମୟ ହୋଇଉଠିଛି।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ନିଜ ସୋସିଆଲ ମିଡ଼ିଆ ‘ଏକ୍ସ’ରେ ଲେଖିଛନ୍ତି ଯେ, "ଶ୍ରୀରାମଙ୍କ ଜନ୍ମଭୂମି ଗୌରବମୟ ଓ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହୋଇଛି । ମହାନ, ଭବ୍ୟ-ଦିବ୍ୟ ରାମ ଦରବାରର ପ୍ରାଣ ପ୍ରତିଷ୍ଠାର ଏହି ପବିତ୍ର ଅବସରରେ ସମସ୍ତ ରାମ ଭକ୍ତଙ୍କୁ ଶ୍ରଦ୍ଧା ଏବଂ ଆନନ୍ଦରେ ଭରିଯାଉ । ‘ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ସମସ୍ତ ଦେଶବାସୀଙ୍କୁ ସୁଖ, ସମୃଦ୍ଧି ଦିଅନ୍ତୁ " ।
ଗତ ବର୍ଷ ଜଆନୁଆରୀ ୨୨ରେ ରାମ ଜନ୍ମଭୂମିରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା। ଗୁରୁବାର ଦ୍ଵିତୀୟ ପ୍ରାଣ ପ୍ରତିଷ୍ଠାରେ ପ୍ରଭୁ ରାମ ରାଜା ଭାବେ ଦରବାରରେ ବିରାଜମାନ କରିଛନ୍ତି। ଦ୍ଵି୍ତୀୟ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସାମିଲ ହୋଇଥିଲେ। ଏନେଇ ଅଯୋଧ୍ୟାରେ ଏକ ଆଧ୍ୟତ୍ମିକ ବାତାବରଣ ଖେଳି ଯାଇଥିଲା । ପ୍ରଭୁ ରାମଙ୍କ ଦର୍ଶନ କରିବା ପାଇଁ ବହୁ ଭକ୍ତଙ୍କ ସମାଗମ ମଧ୍ୟ ହୋଇଥିଲା ।