ଅଯୋଧ୍ୟା : ରାମନଗରୀରେ ରାମ ଦରବାରର ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ହୋଇଛି। ଦ୍ଵି୍ତୀୟ ପ୍ରାଣ ପ୍ରତିଷ୍ଠା ବୈଦିକ ମନ୍ତ୍ର ଉଚ୍ଚାରଣ ସହ ସମାପ୍ତ ହୋଇଛି। ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରେ ପହଞ୍ଚି ରାମଲାଲାଙ୍କ ଦର୍ଶନ କରିଛନ୍ତି। ଗତ ବର୍ଷ ଜଆନୁଆରୀ ୨୨ରେ ରାମ ଜନ୍ମଭୂମିରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା। ଗୁରୁବାର ଦ୍ଵିତୀୟ ପ୍ରାଣ ପ୍ରତିଷ୍ଠାରେ ପ୍ରଭୁ ରାମ ରାଜା ଭାବେ ଦରବାରରେ ବିରାଜମାନ କରିଛନ୍ତି।
ରାମ ମନ୍ଦିରର ପ୍ରଥମ ମହଲାରେ ପ୍ରଭୁ ଶ୍ରୀରାମଙ୍କ ଦରବାର ରହିଛି। ଯେଉଁଠାରେ ଶ୍ରୀରାମଙ୍କ ସହିତ ମାତା ସୀତା, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ ଏବଂ ତାଙ୍କ ଭକ୍ତ ପ୍ରଭୁ ହନୁମାନ ମଧ୍ୟ ଅଛନ୍ତି। ଏହି ଅବସରରେ ରାମ ମନ୍ଦିରର ସମ୍ପୂର୍ଣ୍ଣ ପରିସର ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହୋଇଥିଲା। ସମ୍ପୂର୍ଣ୍ଣ ପରିବେଶ ରାମମୟ ହୋଇଉଠିଛି। ଦିବ୍ୟମୟ ପରିବେଶରେ ରାମ ଦରବାରରେ ଚାଲିଛି ଦର୍ଶନ । ଆଜି ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଶହ ଶହ ଶ୍ରଦ୍ଧାଳୁ । ରାମଙ୍କ ଦରବାର ସହ ଭଗବାନ ଶିବ, ସୂର୍ଯ୍ୟ, ଗଣପତି, ମା ଭଗବତୀ, ମା ଅନ୍ନପୂର୍ଣ୍ଣା, ଏବଂ ହନୁମାନଜୀଙ୍କ ବିଗ୍ରହ ମନ୍ଦିରର ମଧ୍ୟ ପ୍ରାଣ ପ୍ରତିଷ୍ଠା ହୋଇଛି।
ରାମ ଦରବାରର ପ୍ରାଣ ପ୍ରତିଷ୍ଠା ଭବ୍ୟ ସମାରୋହରେ କରାଯାଇଛି। ଅଯୋଧ୍ୟାସ୍ଥିତ ଶ୍ରୀରାମ ଜନ୍ମଭୂମି ପରିସରରେ ରାଜା ରାମ ଏବଂ ପ୍ରାଚୀରରେ ବିରାଜିତ ଅନ୍ୟାନ୍ୟ ଦେବାଦେବୀମାନଙ୍କର ପ୍ରାଣ ପ୍ରତିଷ୍ଠା କରାଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସାମିଲ ହୋଇଥିଲେ। ସଂଯୋଗବଶତଃ, ଆଜି ମୁଖ୍ୟମନ୍ତ୍ରୀଙ୍କ ୫୩ତମ ଜନ୍ମଦିନ ଏବଂ ଏହି ଅବସରରେ ସେ ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦ ନେଇଥିଲେ।