ନୂଆଦିଲ୍ଲୀ: ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ପାକିସ୍ତାନ ଦ୍ୱାରା ବ୍ରହ୍ମପୁତ୍ର ନଦୀର ପାଣି ଅଟକାଯିବା ନେଇ ପ୍ରଚାର କରାଯାଉଥିବା ତଥ୍ୟକୁ ଖାରଜ କରିଛନ୍ତି । ଏହା ସହିତ ହିମନ୍ତ ତଥ୍ୟ ସହ ପାକିସ୍ତାନକୁ ଦୃଢ ଜବାବ ଦେଇଛନ୍ତି । ଶର୍ମା ସ୍ପଷ୍ଟ କରିଛନ୍ତି ଯେ, ବ୍ରହ୍ମପୁତ୍ର ନଦୀର ଜଳ ଭାରତରେ କମି ନ ଥାଏ ବରଂ ବଢିଥାଏ । ଚୀନ ଦ୍ୱାରା ଏହାର ପ୍ରବାହକୁ ରୋକିବାର ଆଶଙ୍କା ଭିତ୍ତିହୀନ । ଏହା ପୂର୍ବରୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ପରାମର୍ଶଦାତା ରାଣା ଏହସାନ ଅଫଜଲ କହିଥିଲେ ଯେ, ଯଦି ଭାରତ ପାକିସ୍ତାନ ସହିତ ସିନ୍ଧୁ ଜଳ ଚୁକ୍ତିନାମା ବାତିଲ ଜାରି ରଖେ ତେବେ ଚୀନ ମଧ୍ୟ ଭାରତ ପାଇଁ ବ୍ରହ୍ମପୁତ୍ର ନଦୀର ପାଣି ରୋକିପାରେ ।
ଏହା ଉପରେ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ଭାରତ ସିନ୍ଧୂ ଜଳ ଚୁକ୍ତିନାମାରୁ ହଟିବା ପରେ ପାକିସ୍ତାନ ଏବେ ନୂଆ କାଳ୍ପନିକ ଡର ସୃଷ୍ଟି କରୁଛି । ଯଦି ଚୀନ ବ୍ରହ୍ମପୁତ୍ରର ପାଣି ଅଟକାଇ ଦିଏ ? ଏହା ସଂପୂର୍ଣ୍ଣ ଭାବେ ଏକ କାଳ୍ପନିକ ଓ ତଥ୍ୟହୀନ ନେରେଟିଭ ।
ମୁଖ୍ୟମନ୍ତ୍ରୀ ଭୌଗୋଳିକ ଓ ଜଳବିଜ୍ଞାନ ସହ ଜଡିତ ତଥ୍ୟକୁ ଆଧାର କରି କହିଛନ୍ତି, ବ୍ରହ୍ମପୁତ୍ର ନଦୀର ମୋଟ୍ ଜଳ ପ୍ରବାହର କେବଳ ୩୦ରୁ ୩୫ ପ୍ରତିଶତ ଅଂଶ ଚୀନର ତିବ୍ୱତ କ୍ଷେତ୍ରରୁ ଆସିଥାଏ, ତାହା ମୁଖ୍ୟତଃ ଗ୍ଲାସିୟର ତରଳିବା ଓ ସୀମିତ ବର୍ଷ କାରଣରୁ । ଏହି ନଦୀର ୬୫ରୁ ୭୦ ପ୍ରତିଶତ ଜଳଧାରା ଭାରତରେ ଉତ୍ପନ ହୋଇଥାଏ, ଯେଉଁଥିରେ ପୂର୍ବୋତର ଭାରତୀୟ ରାଜ୍ୟ ଅରୁଣାଚଳ ପ୍ରଦେଶ, ଆସାମ, ନାଗାଲାଣ୍ଡ ଓ ମେଘାଳୟରେ ହେଉଥିବା ମୂଷଳଧାରା ମୌସୁମୀ ବର୍ଷା ଓ ଏହାର ଅନେକ ଶାଖା ନଦୀ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି ।
ସେ କହିଛନ୍ତି, ବ୍ରହ୍ମପୁତ୍ରର ଶକ୍ତି ଭାରତରେ ପ୍ରବେଶ କରିବା ପରେ ବଢିଥାଏ । ଇଣ୍ଡୋ-ଚୀନ ସୀମାରେ ଏହାର ପ୍ରବାହ ସେକେଣ୍ଡ ପ୍ରତି ମାତ୍ର ଦୁଇ ହଜାରରୁ ତିନି ହଜାର ଘନ ମିଟର ରହିଥାଏ । ଆସାମର ସମତଳ ଅଞ୍ଚଳରେ ମୌସୁମୀ ସମୟରେ ଏହାର ପ୍ରବାହ ସେକେଣ୍ଟ ପ୍ରତି ବଢି ୧୫ ହଜାରରୁ ୨୦ ହଜାରର ପର୍ଯ୍ୟନ୍ତ ପହଞ୍ଚିଥାଏ । ଯଦି ଚୀନ ଉପର ଭାଗରେ ଜଳ ପ୍ରବାହ ଅଟକାଏ, ତେବେ ଭାରତ ପାଇଁ ଏହା ଉପକାର ହେବ । କାରଣ ମୌସୁମୀରେ ବ୍ରହ୍ମପୁତ୍ର ନଦୀରେ ସର୍ବଦା ବନ୍ୟା ଆସିଥାଏ । କିନ୍ତୁ ଚୀନ ଏ ପର୍ଯ୍ୟନ୍ତ କୌଣସି ବି ମଞ୍ଚରେ ବ୍ରହ୍ମପୁତ୍ର ନଦୀର ଜଳ ଅଟକାଇବା କଥା କହି ନାହିଁ ।