ନୂଆଦିଲ୍ଲୀ: ଜୁନ ୧୫ରେ ହେବାକୁ ଥିବା NEET PG ପରୀକ୍ଷା ସ୍ଥଗିତ ରହିଛି। ସମଗ୍ର ଦେଶରେ ଗୋଟିଏ ସିଫ୍ଟରେ ପରୀକ୍ଷା ଆୟୋଜିତ କରାଯିବା ଉପରେ ସୁପ୍ରିମକୋର୍ଟଙ୍କ ଆଦେଶ ପରେ ନ୍ୟାସନାଲ ବୋର୍ଡ ଅଫ ଏକଜାମିନେସନ(NBEMS) ପକ୍ଷରୁ ମଙ୍ଗଳବାର ଏହି ନିଷ୍ପତ୍ତି ନିଆଯାଇଛି। ଏଥିସହ ଶୀଘ୍ର ପରୀକ୍ଷାର ନୂତନ ତାରିଖ ଘୋଷଣା କରାଯିବ ବୋଲି NBEMS ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ପ୍ରଥମେ ଏହି ପରୀକ୍ଷା ଜୁନ ୧୫ରେ ହେବାର ଥିଲା। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରି ସାରିଥିଲା। ଏହି ପରୀକ୍ଷା ଦୁଇଟି ସିଫ୍ଟରେ ଆୟୋଜନ ହେବାର ଥିଲା। ହେଲେ ସୁପ୍ରିମକୋର୍ଟ ପରୀକ୍ଷାର୍ଥୀଙ୍କ ଆବେଦନ ଉପରେ ଶୁଣାଣି କରି ସମଗ୍ର ଦେଶରେ ନିଟ୍ ପିଜି ଗୋଟିଏ ସିଫ୍ଟରେ ପରୀକ୍ଷା ଆୟୋଜିତ କରାଇବାକୁ ଆଦେଶ ଦେଇଥିଲେ। କୋର୍ଟଙ୍କ ଏହି ନିଷ୍ପତ୍ତି ପରେ NBEMSକୁ ନିଜ ନିଷ୍ପତ୍ତି ବଦଳାଇବାକୁ ପଡ଼ିଛି।
ପରୀକ୍ଷା ସ୍ଥଗିତ ନେଇ ମଙ୍ଗଳବାର NBEMS ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ସଂସ୍ଥା କହିଛି ଯେ, ସୁପ୍ରିମକୋର୍ଟ ଗୋଟିଏ ସିଫ୍ଟରେ ପରୀକ୍ଷା ଆୟୋଜିତ କରିବାକୁ ଆଦେଶ ଦେଇଛନ୍ତି। ତେଣୁ ବୋର୍ଡକୁ ଅଧିକ ପରୀକ୍ଷା କେନ୍ଦ୍ର ସନ୍ଧାନ କରିବାକୁ ପଡ଼ିବ। ଏହା ସହିତ ଆନୁସଙ୍ଗିକ ଭିତ୍ତିଭୂମିର ବ୍ୟବସ୍ଥା କରିବାକୁ ପଡ଼ିବ। ଏଥିପାଇଁ ବର୍ତ୍ତମାନ ପରୀକ୍ଷାକୁ ସ୍ଥଗିତ ରଖାଯାଉଚି। ବୋର୍ଡ ଦ୍ଵାରା ଶୀଘ୍ର ସଂଶୋଧିତ ତାରିଖ ଘୋଷଣା କରାଯିବ।