ବେଙ୍ଗାଲୁରୁ: ବେଙ୍ଗାଲୁରୁର ଚିନ୍ନାସ୍ୱାମୀ କ୍ରିକେଟ୍ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)ର ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନାର ଆୟୋଜନ କରାଯାଇଛି । ନିଜର ପ୍ରିୟ ଖେଳାଳିଙ୍କୁ ଦେଖିବାକୁ ଷ୍ଟାଡିୟମରେ ବାହାରେ ହଜାର ହଜାର ସଂଖ୍ୟାରେ କ୍ରିକେଟ୍ ପ୍ରେମୀ ଭିଡ଼ ଜମାଇଛନ୍ତି । ତେବେ ଏହା ଖେଳାଳୀ ପହଁଚିବା ପୂର୍ବରୁ ଷ୍ଟାଡିୟମରେ ବାହାରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ଦଳ ଚକଟାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଖବର ପ୍ରକାଶ ପାଇଛି ।
ଦୀର୍ଘ ୧୮ ବର୍ଷର ଅପେକ୍ଷା ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରତିକ୍ଷିତ ଆଇପିଏଲ୍ ଟ୍ରଫିକୁ ନିଜ ନାଁରେ କରିଛି । କ୍ରିକ୍ରେଟ୍ ପ୍ରେମୀ ପୁରୁଣା ଟିମକୁ ନୂଆ ବିଜେତା ଭାବରେ ଦେଖିଛନ୍ତି । ଏହି ଐତିହାସିକ ବିଜୟ ପରେ ଆରସିବି ପ୍ରଶଂସକଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳିଛି । ବିଜେତା ଦଳ ଏବେ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରିଛି । ସେପଟେ ଟିମକୁ ସ୍ୱାଗତ କରିବାକୁ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ କ୍ରିକେଟ୍ ଷ୍ଟାଡିୟମରେ ଆୟୋଜନ କରାଯାଇଛି । ଷ୍ଟାଡିୟମ୍ ବାହାରେ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳିଥିଲା । ନିର୍ଦ୍ଧାରିତ ସମୟରେ ଗେଟ୍ ନ ଖୋଲିବାରୁ ପ୍ରଶଂସକମାନେ ଗେଟ୍ ଭାଙ୍ଗି ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ଫଳରେ ପରିସ୍ଥିତି ଏକଦମ ଅଣାୟତ୍ତ ହୋଇପଡ଼ିଥିଲା । ଲୋକଙ୍କ ମଧ୍ୟରେ ଦଳାଚକଟାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଏକାଧିକ ଲୋକ ଆହତ ହୋଇ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ।
ସେପଟେ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ବେଙ୍ଗାଲୁରୁ ବିମାନବନ୍ଦରରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । ବିଧାନସୌଧରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ମଧ୍ୟ ବିଜୟୀ ଦଳକୁ ସମ୍ବର୍ଦ୍ଧିତ କରିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତକାଲି ଆଇପିଏଲ୍ ଫାଇନାଲରେ ପଞ୍ଜାବ କିଙ୍ଗ୍ସକୁ ହରାଇ ଆରସିବି ବିଜୟ ମୁକୁଟ ପିନ୍ଧିଥିଲା । ଆରସିବି ପ୍ରଥମ ଥର ପାଇଁ ଏହି ବିଜୟ ହାସଲ କରିଛି । ଯେଉଁଥିପାଇଁ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ବେଶ ଭାବବିହ୍ୱଳ ହୋଇପଡ଼ିଥିଲେ । ପଡ଼ିଆରେ ଖୁସିର ଆତ୍ମବିଭୋର ହୋଇ କାନ୍ଦିବାକୁ ଲାଗିଥିଲେ ।