ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଆରସିବିର ବିଜୟ ପରେ ଆୟୋଜିତ ମହାଉତ୍ସବ ମହାଶ୍ମଶାନର ରୂପ ନେଇଛି। ଦଳାଚକଟାରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ଏହି ଘଟଣା ପୂରା ଦେଶକୁ ସ୍ତବ୍ଧ କରିଛି।ଏହି ଘଟଣାକୁ ନେଇ କର୍ଣ୍ଣାଟକ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଗୁରୁବାର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଦଳାଚକଟା ପାଇଁ ଦାୟୀ ପୋଲିସ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସସପେଣ୍ଡ କରିଛନ୍ତି। ନିଲମ୍ବିତ ଅଧିକାରୀଙ୍କ ମଧ୍ୟରେ ପୋଲିସ କମିଶନର ସମେତ ଅନେକ ବଡ଼ ଅଧିକାରୀ ସାମିଲ୍। କେବଳ ଏତିକି ନୁହେଁ ଘଟଣାର ତଦନ୍ତ ପାଇଁ ଆୟୋଗ ଗଠନର ଘୋଷଣା କରିଛନ୍ତି।
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି, କ୍ୟୁବନ ପାର୍କ ପୋଲିସ ଷ୍ଟେସନର ପୋଲିସ ଇନ୍ସପେକ୍ଟର, ଷ୍ଟେସନ ହାଉସ ମାଷ୍ଟର, ଷ୍ଟେସନ ହାଉସ ଅଫିସର, ଏସିପି, ସେଣ୍ଟ୍ରାଲ ଡିଭିଜନ ଡିସିପି, କ୍ରିକେଟ ଷ୍ଟାଡିୟମ ଇନଚାର୍ଜ, ଅତିରିକ୍ତ ପୋଲିସ କମିଶନର, ପୋଲିସ କମିଶନରଙ୍କୁ ତୁରନ୍ତ ପ୍ରଭାବରୁ ନିଲମ୍ବିତ କରାଯାଇଛି। ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ମାଇକେଲ୍ ଡି'କୁହ୍ନା୮୍କ ଅଧ୍ୟକ୍ଷତାରେ ଜଣିକିଆ ଆୟୋଗ ଗଠନ କରାଯାଇଛି। ଆରସିବି, ଇଭେଣ୍ଟ ମ୍ୟାନେଜର DNA, କର୍ଣ୍ଣାଟକ କ୍ରିକେଟ୍ ଆସୋସିଏସନର ତିନିଧିତ୍ୱ କରିଥିବା ଲୋକଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛୁ।
ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି ଯେ ଗତକାଲିର ଘଟଣା ଉପରେ କ୍ୟାବିନେଟ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ୩୦ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଆଦେଶ ଦେଇଛୁ। ଏହା ସହିତ, ରାଜ୍ୟ ଡିଜିପି ଏବଂ ଆଇଜିପିଙ୍କୁ ଆରସିବିର ପ୍ରତିନିଧି ଏବଂ କର୍ଣ୍ଣାଟକ କ୍ରିକେଟ୍ ଆସୋସିଏସନର ପ୍ରତିନିଧିତିତ୍ଵ କରୁଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
କର୍ଣ୍ଣାଟକ ସରକାର ହାଇକୋର୍ଟକୁ କହିଛନ୍ତି ଯେ ଚିନ୍ନାସ୍ୱାମୀ ଷ୍ଟାଡିୟମ ସମ୍ମୁଖରେ ଦଳାଚକଟା ଘଟଣାର ତଦନ୍ତ ଦାୟିତ୍ଵ ଅପରାଧ ତଦନ୍ତ ବିଭାଗ (ସିଆଇଡି)କୁ ହସ୍ତାନ୍ତର କରାଯାଇଛି। ଏକ ସମ୍ପୂର୍ଣ୍ଣ ଏବଂ ସ୍ୱାଧୀନ ତଦନ୍ତ ପାଇଁ ସିଆଇଡି ଅଧୀନରେ ଏକ ସ୍ୱତନ୍ତ୍ର ତଦନ୍ତ ଦଳ (ଏସଆଇଟି) ଗଠନ କରାଯିବ। ଅନ୍ୟପଟେ କର୍ଣ୍ଣାଟକ ହାଇକୋର୍ଟ ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କରି ମାମଲାର ବିଚାର କରିବାକୁ ଯାଉଛନ୍ତି।