ବେଙ୍ଗାଲୁରୁ: ଆଇପିଏଲ୍ ଟ୍ରଫି ଜିତିବା ପରେ ଉତ୍ସବ ପାଳନ ସମୟରେ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟା ମାମଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ବିରୋଧରେ FIR ରୁଜୁ କରାଯାଇଛି। ଘଟଣାର ୨୪ ଘଣ୍ଟା ପରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆରସିବି, DNA (ଇଭେଣ୍ଟ ମ୍ୟାନେଜର), କର୍ଣ୍ଣାଟକ କ୍ରିକେଟ ଆସୋସିଏସନ ବିରୁଦ୍ଧରେ କ୍ୟୁବନ ପାର୍କ ପୋଲିସ ଷ୍ଟେସନରେ ଏକ ଏଫଆଇଅର ରୁଜୁ କରାଯାଇଛି। ଏଫଆଇଅରରେ ଦଳାଚକଟା ଘଟଣାରେ ଅପରାଧିକ ଅବହେଳା ଉଲ୍ଲେଖ କରାଯାଇଛି। ମାମଲାରେ ଧାରା ୧୦୫, ୧୨୫(୧) (୨), ୧୩୨, ୧୨୧/୧, ୧୯୦ R/W ୩ (୫) ଲଗାଯାଇଛି।
ଜୁନ ୩ ତାରିଖରେ ଆରସିବି ପ୍ରଥମ IPL ଟାଇଟଲ୍ ଜିତିଥିଲା, ଏହା ପରେ ଦଳର ଭିକ୍ଟ୍ରି ପରେଡ୍ ନେଇ ଖବର ପ୍ରକାଶ ପାଇଥିଲା। ଜୁନ ୪ ସକାଳରୁ ରାସ୍ତାରେ ଭିଡ଼ ଜମିବା ଆରମ୍ଭ ହୋଇଥିଲା। ଭିଡ଼କୁ ଦେଖି ପୋଲିସ ଭିକ୍ଟ୍ରି ପରେଡ ପାଇଁ ଅନୁମତି ଦେଇ ନଥିଲା ଏବଂ ଏହାକୁ ବାତିଲ କରାଯାଇଥିଲା। ପୋଲିସ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆୟୋଜିତ ଉତ୍ସବକୁ ସ୍ଥଗିତ ରଖିବାକୁ ମଧ୍ୟ ଅନୁରୋଧ କରିଥିଲା। ଦଳ କେବଳ ଗୋଟିଏ ଦିନ ପୂର୍ବରୁ ଟ୍ରଫି ଜିତିଥିବାରୁ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି ଏବଂ ଏମିତି ସମୟରେ ଉତ୍ସବ ଆୟୋଜନ କରିବା ଭିଡ଼ ସମ୍ଭାଳିବା ମୁସ୍କିଲ ବୋଲି ପୋଲିସ ହୃଦବୋଧ କରିଥିଲା।
ପୋଲିସ ଚାହୁଁଥିଲା ଆରସିବି ୮ ଜୁନ ରବିବାର ଏହି କାର୍ଯ୍ୟକ୍ରମ ଆୟୋଜନ କରୁ, କିନ୍ତୁ RCB ଯୁକ୍ତି ଦେଇଥିଲା ଯେ ସେମାନଙ୍କର ବିଦେଶୀ ଖେଳାଳିମାନେ ସେମାନଙ୍କ ଦେଶକୁ ଫେରିବେ, ତେଣୁ ସେମାନେ ଜୁନ ୪ ରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଚାହୁଛନ୍ତି। ବେଙ୍ଗାଲୁରୁ ସହରାଞ୍ଚଳ ଡେପୁଟି କମିଶନର ଜି ଜଗଦୀଶ ପୂର୍ବରୁ କହି ସାରିଛନ୍ତି ଯେ ଦଳାଚକଟା ଘଟଣାର ତଦନ୍ତ ପାଇଁ କର୍ଣ୍ଣାଟକ ରାଜ୍ୟ କ୍ରିକେଟ ଆସୋସିଏସନ୍ (KSCA), ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ପୋଲିସ କମିଶନର ବି ଦୟାନନ୍ଦଙ୍କୁ ନୋଟିସ ଜାରି କରାଯିବ।
ବୁଧବାର ଦିନ ଦଳାଚକଟା ହୋଇଥିବା ଚିନ୍ନାସ୍ୱାମୀ ଷ୍ଟାଡିୟମକୁ ପୋଲିସ ଯାଞ୍ଚ କରିଛି। ବୁଧବାର ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ନିକଟରେ ଦଳାଚକଟା ଘଟି ୧୧ ଜଣଙ୍କର ମୃତ୍ୟୁ ଘଟିବା ସହ ୫୦ ରୁ ଅଧିକ ଆହତ ହୋଇଛନ୍ତି। ଜାତୀୟ ମାନବାଧିକାର କମିଶନ (NHRC) ଏହି ଦଳାଚକଟା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି। ଜିଲ୍ଲା ପ୍ରଶାସନ ଏବଂ ପୋଲିସକୁ ନୋଟିସ୍ ଜାରି କରି ଏକ ସପ୍ତାହ ମଧ୍ୟରେ ରିପୋର୍ଟ ତଲବ କରିଛି ଏନଏଚଆରସି।