ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲାରେ କେବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ଖଣିରୁ ବିସ୍ଫୋରକ ଲୁଟ ଘଟଣାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ । ଲୁଟ୍ ହୋଇଥିବା ୫ ଟନ୍ ବିସ୍ଫୋରକ ମଧ୍ୟରୁ ଏଯାବତ ୩.୮ ଟନ୍ ଜବତ ହୋଇଛି । ବାକି ବିସ୍ଫୋରକକୁ ଉଦ୍ଧାର କରିବାକୁ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଏଥିରେ ମାଓବାଦୀଙ୍କ ସମ୍ପୃକ୍ତି ଥିବାବେଳେ ଡିଜିପି ସୂଚନା ଦେଇଛନ୍ତି ।
ଡିଜିପି ଖୁରାନିଆ କହିଛନ୍ତି, ମେ ୨୭ ତାରିଖରେ ବାଙ୍କୋ ଖଣିରୁ ୫ ଟନ୍ ବିସ୍ଫୋରକ ଲୁଟ୍ ହୋଇଥିଲା । ସେହିଦିନ ରାତିରୁ ଓଡ଼ିଶା ପୋଲିସ, ଝାରଖଣ୍ଡ ପୋଲିସ ଏବଂ ସିଆରପିଏଫ ପକ୍ଷରୁ ସରଣ୍ଡା ଜଙ୍ଗଲରେ ମିଳିତ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା । ଓଡ଼ିଶା ଏବଂ ଝାଡ଼ଖଣ୍ଡ ପୋଲିସ ମିଳିତ ପ୍ରୟାସରେ ୫ ଟନ୍ ବିସ୍ଫୋରକରୁ ୩.୮ ଟନ୍ ଜବତ ହୋଇଛି । ଆଉ ବିସ୍ଫୋରକକୁ ଜବତ କରିବାକୁ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଜଣେ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଏସଆଇଟି ତଦନ୍ତ ଜାରି ରଖିଛି । ତେବେ ଏହି ବିସ୍ଫୋରକ ଲୁଟ୍ ମାମଲାରେ ମାଓବାଦୀଙ୍କ ସମ୍ପୃକ୍ତିର ପ୍ରମାଣ ମିଳିଥିବା ଡିଜିପି ସ୍ପଷ୍ଟ କରିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗ ଥାନା ବାଙ୍କୋ ପଥର ଖଣିରୁ ବିସ୍ଫୋରକ ଲୁଟ୍ ହେବା ଘଟଣାରେ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲଙ୍କୁ ଗିରଫ କରାଯାଇଛି । ପ୍ରଥମେ ପୋଲିସ ଶ୍ରବଣ ଅଗ୍ରୱାଲଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଗିରଫ କରିଛି । ମେ’ ୨୭ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ପଥର ଖଣିରୁ ସଶସ୍ତ୍ର ମାଓବାଦୀମାନେ ୫ ଟନ୍ ବିସ୍ଫୋରକ ଭର୍ତ୍ତି ଗାଡ଼ିକୁ ଲୁଟ୍ କରି ନେଇଥିଲେ । ଏହା ପରେ ପୋଲିସ ପକ୍ଷରୁ ସୀମାକୁ ବନ୍ଦ କରି ତଲାସୀ ଅଭିଯାନ କରିଥିଲେ । ଖୋଦ ପୋଲିସ ଡିଜି ୱାଇବି ଖୁରାନିଆ ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ପର୍ଯ୍ୟାୟ କ୍ରମରେ ୩.୮ ଟନ୍ ବିସ୍ଫୋରକ ଜବତ ହୋଇଛି ।