ନୂଆଦିଲ୍ଲୀ: ଏକ ବଡ଼ ପକ୍ଷୀ ବିମାନରେ ଧକ୍କା ଦେବାରୁ ଯାତ୍ରୀବାହୀ ଇଣ୍ଡିଗୋ ବିମାନ ଜରୁରୀ ଅବତରଣ କରିଛନ୍ତି । ଶାଗୁଣା ପକ୍ଷୀ ବିମାନରେ ବାଡ଼େଇ ହୋଇଥିବା ନେଇ ସୂଚନା ମିଳିଛି । ବିହାରର ରାଞ୍ଚିକୁ ଯାଉଥିବା ବିମାନଟି ସୋମବାର ଜରୁରୀ ଅବତରଣ କରିଛି । ସେଥିରେ ମୋଟ ୧୭୫ ଜଣ ଯାତ୍ରୀ ଥିଲେ । ତେବେ କାହାର କୋଣସି କ୍ଷତି ହୋଇ ନ ଥିବା ଜଣାପଡ଼ିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତକାଲି ରାୟପୁରରୁ ଦିଲ୍ଲୀ ଯାଉଥିବା ବିମାନ (6E 6313) ଖରାପ ପାଗ ଯୋଗୁଁ ବହୁତ ସମୟ ଧରି ଆକାଶରେ ଫସି ରହିଥିଲା । ଧୂଳି ଝଡ଼ ଯୋଗୁଁ ଆକାଶରେ ଘୂରି ଘୂରି ଦୀର୍ଘ ସମୟ ପରେ ବିମାନଟି ଅବତରଣ କରିଥିଲା । ଗତ କିଛି ଦିନ ତଳେ ଦିଲ୍ଲୀରୁ ଜମ୍ମୁ କଶ୍ମୀର ଶ୍ରୀନଗର ଯାଉଥିବା ଏକ ଇଣ୍ଡିଗୋ ବିମାନଟି ଖରାପ ପାଗ ଯୋଗୁଁ ଫସିଯାଇଥିଲା । ପଞ୍ଜାବର ପଠାନ କୋଟ ନିକଟରେ ପ୍ରବଳ କୂଆପଥର ମାଡ଼ ଯୋଗୁଁ ବିମାନର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିଲା । ଶ୍ରୀନଗର ଅଭିମୁଖେ ଯାଉଥିବା ଉଡ଼ାଣ ପାଇଁ ଇଣ୍ଡିଗୋ ପାଇଲଟମାନେ କୁଆପଥର ଝଡ଼ ଏବଂ ପ୍ରବଳ ବର୍ଷାକୁ ଏଡାଇବା ପାଇଁ ପାକିସ୍ତାନୀ ଆକାଶ ମାର୍ଗକୁ ଅନୁମତି ମାଗିଥିଲେ । ଭାରତୀୟ ବାୟୁସେନା ଏବଂ ଲାହୋର ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ଉଭୟ ଦ୍ୱାରା ଅନୁମତି ପ୍ରତ୍ୟାଖ୍ୟାନ କରାଯିବା ପରେ, ପାଇଲଟମାନେ ଶ୍ରୀନଗର ଅଭିମୁଖେ ଯାତ୍ରା ଜାରି ରଖି ସୁରକ୍ଷିତ ଭାବରେ ଅବତରଣ କରିଥିଲେ ।