ଭୁବନେଶ୍ଵର: ଦୀର୍ଘ ୧୬ ବର୍ଷ ପରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଭାରତରେ ପ୍ରବେଶ କରିଥିଲା ଦକ୍ଷିଣ ପଶ୍ଚିମ ମୌସୁମୀ। ଭାରତୀୟ ପାଣିପାଗ ବିଭାଗ ମଧ୍ୟ ପୂର୍ବାନୁମାନ କରିଥିଲେ ସାରା ଦେଶକୁ ଶୀଘ୍ର ମୌସୁମୀ ପହଞ୍ଚିବ। ହେଲେ ଓଡ଼ିଶାରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି। ମୌସୁମୀ ଦୁର୍ବଳ ହୋଇ ଯାଇଥିବା ବେଳେ ଭୀଷଣ ଗୁଳୁଗୁଳିରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି।
ମୌସୁମୀ ବାୟୁ ଓଡ଼ିଶା କୁ ପ୍ରବେଶ କରିବା ପରେ ଦୁର୍ବଳ ହୋଇଛି । ଯାହା ଫଳରେ ଅଧିକ ଗରମ ଅନୁଭବ କରୁଛନ୍ତି ଲୋକେ । ବର୍ତ୍ତମାନ ବ୍ରେକ ମନସୁନ ଚାଲିଛି । ହିମାଳୟ ପାଦ ଦେଶରେ ଅଧିକ ବର୍ଷା ହେଉଥିବାରୁ ରାଜ୍ୟରେ ମୌସୁମୀ ବାୟୁ ଦୁର୍ବଳ ହୋଇଛି। ଏହି ସ୍ଥିତି ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଲାଗି ରହିବ । ଫଳରେ ଜୁନ ୭ରୁ ଆହୁରି ଗରମ ଅନୁଭବ ହେବ ବୋଲି କହିଛନ୍ତି ପାଣି ପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ।
ସେ କହିଛନ୍ତି, ମୌସୁମୀ ବାୟୁରେ ଜଳୀୟ ବାଷ୍ପ ଥିବା ବେଳେ ପାରଦ ମଧ୍ୟ ଅଧିକ ରହୁଛି, ଯଦ୍ଵାରା ଉପକୂଳ ଓଡ଼ିଶାରେ ଅସହନୀୟ ଗୁଳୁଗୁଳି ଅନୁଭୂତ ହେଉଛି। ଆଉ କିଛି ଦିନ ଏମିତି ଗରମ ଅନୁଭବ ହେବା ସହ ପାରଦ ୪୦ ଡିଗ୍ରୀ ପାଖାପାଖି ରହିବ। କିନ୍ତୁ ୧୧ରୁ ୧୪ ତାରିଖ ମଧ୍ୟରେ ପାଗରେ ପରିବର୍ତ୍ତନ ଦେଖା ଦେବ। ଲଘୁଚାପ ସୃଷ୍ଟି ହେବ ବୋଲି ସେ ପୂର୍ବାନୁମାନ କରିଛନ୍ତି ।
ଫଳରେ ରଜ ବେଳକୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ସେ ସମୟରେ ଏକ ଲଘୁଚାପ ସୃଷ୍ଟି ହେବ। ପ୍ରଭାବରେ ମୌସୁମୀ ପୁଣି ସକ୍ରିୟ ହେବ। ବର୍ତ୍ତମାନ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହି ସମୟରେ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଥିବାରୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, ଗଞ୍ଜାମ ,ଗଜପତି ଅଞ୍ଚଳରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାନା ରହିଛି।