ନୂଆଦିଲ୍ଲୀ: ଚଳିତବର୍ଷ ଜେଇଇ ଆଡଭାନ୍ସ ଫଳାଫଳ ସୋମବାର ପ୍ରକାଶ ପାଇଛି । ଏଥର ଝିଅଙ୍କ ତୁଳନାରେ ପୁଅ ଭଲ ରେଜଲ୍ଟ କରିଛନ୍ତି । ଆଇଆଇଟି ଦିଲ୍ଲୀର ରଜିତ ଗୁପ୍ତା ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅକ୍ତିଆର କରିଛନ୍ତି । ସେ ମୋଟ ୩୬୦ରୁ ୩୩୨ ଅଙ୍କ ରଖିଛନ୍ତି । ରଜିତ ରାଜସ୍ଥାନ କୋଟାର ମହାବୀରନଗର ଅଞ୍ଚଳର ମୂଳ ବାସିନ୍ଦା ଅଟନ୍ତି । ଏହା ସହିତ ଶ୍ରେଷ୍ଠ ୧୫ ଜଣ ପୁଅଙ୍କ ପରେ ଝିଅ ରହିଛନ୍ତି । ତାଲିକାର ୧୬ ନମ୍ୱର ସ୍ଥାନରେ ଅଛନ୍ତି ଛାତ୍ରୀ ଦେବଦତ୍ତା ମାଝୀ।
ଚଳିତ ବର୍ଷ ମୋଟ ୧ ଲକ୍ଷ ୮୦ ହଜାର ୪୨୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୫୪ ହଜାର ୩୭୮ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏଥିରେ ଛାତ୍ରୀଙ୍କ ସଂଖ୍ୟା ରହିଛି ୯,୪୦୪ । ଛାତ୍ରଛାତ୍ରୀମାନେ jeeadv.ac.inରେ ପରୀକ୍ଷା ଫଳ ଦେଖିପାରିବେ । ତେବେ ଏଥର ୭ଟି ଆଇଆଇଟି ଜୋନ୍ ମଧ୍ୟରୁ ହାଇଦ୍ରାବାଦରେ ସର୍ବାଧିକ ପାସ୍ ହାର ରହିଛି । ହାଇଦ୍ରାବାଦରେ ମୋଟ ୧୨,୯୪୬ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ସେହିପରି ଦିଲ୍ଲୀ ଜୋନରେ ୧୧, ୩୭୦ ଜଣ କୃତକାର୍ଯ୍ୟ ହୋଇଛନ୍ତି ।
ଅଜିତ ଗୁପ୍ତା ଏହି ସଫଳତା ପାଇବା ପରେ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ସେ କେବେହେଲେ ସ୍ୱତନ୍ତ୍ର ପଢ଼ିବା ସମୟ ସ୍ଥିର କରି ନ ଥିଲା । ଯେତେବେଳେ ଇଚ୍ଛା ହୁଏ ପାଠ ପଢ଼ନ୍ତି, କିନ୍ତୁ ଯେତିକି ପଢ଼ନ୍ତୁ ନିଷ୍ଠାର ସହିତ ମନଧ୍ୟାନ ଦେଇ ପଢ଼ନ୍ତି । ସେ କୋଟାର କୋଚିଂ ସେଣ୍ଟର, ମାତାପିତା ଏବଂ ନିଜର ସକାରାତ୍ମକ ଚିନ୍ତାଧାରାକୁ ଏହି ସଫଳତାର ଶ୍ରେୟ ଦେଇଛନ୍ତି ।