ଅରୁଣାଚଳ ପ୍ରଦେଶରେ ସବୁଠାରୁ ବଡ଼ ତାଣ୍ଡବ ରଚିଛି ପ୍ରକୃତି। ଅରୁଣାଚଳ ପ୍ରଦେଶର ଆଞ୍ଜାଓ ଜିଲ୍ଲାରୁ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ବ୍ୟକ୍ତି ବନ୍ୟାଗ୍ରସ୍ତ ନଦୀକୁ ଏକ କ୍ଷତିଗ୍ରସ୍ତ ଝୁଲା ପୋଲ ଦେଇ ପାର କରିବାକୁ ଜୀବନକୁ ବାଜି ଲଗାଇଥିବାର ଦେଖାଯାଇଛି। ଏହି ଛାତିଥରା ଦୃଶ୍ୟକୁ କେନ୍ଦ୍ରୀୟ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଏକ୍ସରେ ଶେୟାର କରିଛନ୍ତି। ୪୫ ସେକେଣ୍ଡର ଏହି ଭିଡିଓରେ, ବ୍ୟକ୍ତିଜଣକ ଭାଙ୍ଗିରୁଜା ପୋଲର ଉପର ଦଉଡ଼ିରେ ଝୁଲୁଥିବାର ଦେଖାଯାଇଛି। ତଳେ ବନ୍ୟାଜଳ ପ୍ରଚଣ୍ଡ ବେଗରେ ପ୍ରବାହିତ ହେଉଛି। ବ୍ୟକ୍ତିଜଣକ କୌଣସି ସୁରକ୍ଷା ଉପକରଣ ବିନା ନଦୀ ପାର କରିବାକୁ ଚେଷ୍ଟା କରୁଛନ୍ତି।
ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ଶେୟାର କରିବା ସହ ସେ ଲେଖିଛନ୍ତି, ‘ଅରୁଣାଚଳ ପ୍ରଦେଶରେ ବିଶ୍ୱରେ ସବୁଠାରୁ ଅଧିକ ମୌସୁମୀ ବର୍ଷା ହୋଇଥାଏ। ଅରୁଣାଚଳ ପ୍ରଦେଶର ଆଞ୍ଜାଓ ଜିଲ୍ଲାରେ, ଭାରତ, ଚାଇନା ଓ ମ୍ୟାନମାର ସୀମାବର୍ତ୍ତୀ ତ୍ରିକୋଣରେ ଏକ ପାରମ୍ପରିକ ଝୁଲା ପୋଲ ପାର କରୁଥିବା ଜଣେ ବ୍ୟକ୍ତିଙ୍କ ଭିଡିଓ ମୋ ପାଖରେ ପହଞ୍ଚିଛି। ଦୟାକରି ସାବଧାନ ଓ ସୁରକ୍ଷିତ ରୁହନ୍ତୁ। ସରକାର ଆବଶ୍ୟକୀୟ ସହାୟତା ପ୍ରଦାନ କରିବ’।