ବେଙ୍ଗାଲୁରୁ: କନ୍ନଡ-ତାମିଲ ଭାଷା ବିବାଦରେ ଫସିଥିବା ଅଭିନେତା କମଲ ହାସନଙ୍କୁ କର୍ଣ୍ଣାଟକ ହାଇକୋର୍ଟ କଡା ଶବ୍ଦରେ ଭର୍ତ୍ସନା କରିଛନ୍ତି । ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, ସେ ଯିଏ ବି ହେଉ ନା କାହିଁକି କାହାରିକୁ ଜନତାଙ୍କ ଭାବନାକୁ ଆଘାତ ଦେବାର ଅଧିକାର ନାହିଁ । ହାସନଙ୍କ ଆଗାମୀ ଫିଲ୍ମ ଠଗ ଲାଇଫର ରିଲିଜ ଉପରେ କର୍ଣ୍ଣାଟକରେ କଟକଣା ଲଗାଯାଇଛି । ଏହାରି ବିରୋଧରେ କମଲ ହାସନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ଜଷ୍ଟିସ ନାଗପ୍ରସନ୍ନା ମାମଲାର ଶୁଣାଣି କରି କହିଛନ୍ତି, କୌଣସି ବି ନାଗରିକଙ୍କ ଭାବନାକୁ ଆଘାତ ଦେବାର ଅଧିକାର ନାହିଁ । ଏହି ଦେଶର ବିଭାଜନ ଭାଷା ଆଧାରରେ ହୋଇଥିଲା । ଯଦି ଜଣେ ପ୍ରସିଦ୍ଧ ବ୍ୟକ୍ତି ଏମିତି ବୟାନ ଦେବେ ତେବେ ଏହାର ପ୍ରଭାବ କଣ ପଡିବ । କୌଣସି ବି ଭାଷା ଅନ୍ୟ କୌଣସି ଭାଷାରୁ ସୃଷ୍ଟି ହୋଇ ନାହିଁ । କମଲଙ୍କ ବୟାନରେ କେବଳ ମାହୋଲ ଖରାପ ହେଲା । କର୍ଣ୍ଣାଟକ ଲୋକ ଆପଣଙ୍କଠୁ ତ କ୍ଷମା ବ୍ୟତୀତ ଆଉ କିଛି ଚାହୁଁ ନାହାନ୍ତି ।
ବିଚାରପତି କହିଛନ୍ତି, ଏମିତି ପରିସ୍ଥିତି କମଲ ହାସନଙ୍କ ପାଇଁ ସୃଷ୍ଟି ହୋଇଛି । ପୁଣି ସେ କହୁଛନ୍ତି କ୍ଷମା ମାଗିବି ନାହିଁ । ଆପଣ ତ କର୍ଣ୍ଣାଟକବାସୀଙ୍କ ଭାବନାକୁ ଆଘାତ ଦେଇଛନ୍ତି । କେଉଁ ଆଧାରରେ ଏମିତି କଲେ ? କଣ ଆପଣ କୌଣସି ଐତିହାସିକବିତ ? ନା କୌଣସି ଭାଷା ବିଶେଷଜ୍ଞ ? ଆପଣ ଏଠାକୁ ନିଜର ଆର୍ଥିକ ହିତ ପାଇଁ ଆସିଛନ୍ତି । କେବଳ ଆପଣଙ୍କର ଗୋଟିଏ କ୍ଷମା ହିଁ ଏହାର ସମାଧାନ କରି ପାରିବ । ଆଇନତଃ ଆମେ ବିଚାର କରିବୁ । ମାତ୍ର ଆପଣଙ୍କ ଆଭିମୁଖ୍ୟ ତ ଦେଖନ୍ତୁ । କୋର୍ଟ କହିଛନ୍ତି, ଆପଣ କମଲ ହାସନ ହୁଅନ୍ତୁ କି ଅନ୍ୟ ଯିଏ ବି ହୁଅନ୍ତୁ, ଆପଣ ଲୋକଙ୍କ ଭାବନାକୁ ଆଘାତ ଦେଇ ପାରିବେ ନାହିଁ ।